କଳିକେଶଙ୍କ ମାରାଥନ ଭିଜିଟ୍ : ବିଶ୍ୱବିଦ୍ୟାଳୟ ସମସ୍ୟା ବୁଝିଲେ, ମେଡିକାଲରେ ଉପକରଣ ଦାନ କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ପୂବର୍ତନ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ କଳିକେଶ ନାରାୟଣ ସିଂଦେଓ ଆଜି ମାରାଥନ ଭିଜିଟ୍ କରି ବଲାଙ୍ଗିର ବିଭିନ୍ନ ସମସ୍ୟା ବୁଝିବା ସହ ପ୍ରକଳ୍ପଗୁଡିକର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ସକାଳୁ ପ୍ରଥମେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସିଏନ୍‌ଆଇ ଚର୍ଚ୍ଚ, ଜଗର୍ସ ପାର୍କ ଓ ପରେ ପରେ ନିର୍ମାଣାଧୀନ ବସ୍‌ ଟର୍‌ମିନାଲ ପରିଦର୍ଶନ କରିଥିଲେ । ସେହିପରି ଉପର ବେଳା ଭୀମ ଭୋଇ ମେଡିକାଲରେ କର୍ତ୍ତୃପକ୍ଷଙ୍କୁ ମେଡିକାଲ ଉପକରଣ ପ୍ରଦାନ କରିବା ସହ, ଅକ୍ସିଜେନ ପ୍ଲାଣ୍ଟ ଓ ଶେଷରେ ନିର୍ମାଣାଧୀନ ଘଣ୍ଟାଘର ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ବନ୍ଧରେ ସବିଶେଷ ସୂଚନା ନେଇଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସଂପୁର୍ଣ୍ଣତା ପାଇଁ ଏବେ ମଧ୍ୟ ଗୁଡାଏ ସମସ୍ୟା ରହିଛି । ବିଗତ ଦିନରେ ୟୁଜିସି ମାନ୍ୟତାକୁ ନେଇ ହୋଇଥିବା ସମସ୍ୟା ବିରୁଦ୍ଧରେ କଳିକେଶ ସମେତ ଅନ୍ୟମାନଙ୍କ ଚିଠି ଦେବା ପରେ ସମସ୍ୟାର ସମାଧାନ ହୋଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ପାଇଥିଲା । ଆଜି ସକାଳୁ କଳିକେଶ ରାଜେନ୍ଦ୍ର କଲେଜ ପରିସରକୁ ପହଞ୍ଚୁ ପହଞ୍ଚୁ କଲେଜ ଛାତ୍ରଛାତ୍ରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରି କୁଳପତିଙ୍କ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ।

ୟୁଜିସିର ୧୨(ଖ) ପୂରଣ ପାଇଁ ବିଶ୍ୱବିଦ୍ୟାଳୟର ଜମି ଅଧିଗ୍ରହଣ ଏବେ ମଧ୍ୟ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଜମିର ପୁରୁଣା ରେକର୍ଡ ଓ ଜମି ଅଧିଗ୍ରହଣ ବିଭିନ୍ନ ତରିକା ଉପରେ କଳିକେଶ ବିଶ୍ୱବିଦ୍ୟାଳୟ କୁଳପତି ଓ ରେଜିଷ୍ଟ୍ରାର୍‌ଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ବିଭିନ୍ନ ସମସ୍ୟା କଳିକେଶଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ତାହାର ଯଥା ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କଳିକେଶ ପ୍ରତିଶୃତି ଦେଇଥିଲେ । ପରେ ପରେ କଳିକେଶ ସିଏନଆଇ ଚର୍ଚ୍ଚ ଠାରେ ପ୍ରାୟ ଏକ କୋଟି ଟଙ୍କର ନିର୍ମାଣାଧୀନ ପ୍ରକଳ୍ପର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ସଂପର୍କରେ ଚର୍ଚ୍ଚ କମିଟି ସଭ୍ୟଙ୍କୁ ପଚାରି ବୁଝି ଥିଲେ । ଏହା ପରେ ଟିଟଲାଗଡ ରୋଡ ସ୍ଥିତ ୪୦ଲକ୍ଷରେ ନିର୍ମାଣାଧୀନ ଜଗର୍ସ ପାର୍କ ପ୍ରକଳ୍ପ ପରିଦର୍ଶନ କରି ପୌର ବିଭାଗର କନିଷ୍ଠ ଯନ୍ତ୍ରୀ ରୋଜାଲିନ ସାହୁଙ୍କୁ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ପଚାରି ଥିଲେ ।

ପରେ ପରେ ୮କୋଟି ୩୫ ଲକ୍ଷ ଟଙ୍କାର ନିର୍ମାଣାଧୀନ ବସ ଟର୍ମିନାଲ ପରିଦର୍ଶନ କରି ଏସ୍‌ଡିଓ, ଏପିଏମ୍‌ ଓ ଡିଟିଏମ୍‌ଙ୍କ ସହ ସବିଶେଷ ଅଲୋଚନା କରିଥିଲେ । ଜନସାଧାରଣଙ୍କ ଦାବୀ ମୁତାବକ ସେଠାରେ ଏକ ପୋଲିସ ଫାଣ୍ଡି ଓ ବିକଳାଙ୍ଗଙ୍କ ପାଇଁ ଏସ୍କେଲେଟ୍‌ରର ପ୍ରସ୍ତାବ ଦେଇଥିଲେ ।

ସଂନ୍ଧ୍ୟା ୪ଟାରେ ନିରତାର ସେଣ୍ଟର ପରିଦର୍ଶନ ପରେ କଳିକେଶ ସିଧା ଭୀମ ଭୋଇ ମେଡିକାଲକୁ ପହଞ୍ଚି ମେଡିକାଲ କର୍ତ୍ତୃପକ୍ଷଙ୍କୁ ୫ଟି ଆଇସିୟୁ ବ୍ୟାଡ୍‌ ଓ ୨ ଗୋଟି ଅକ୍ସିଜେନ କନସନଟ୍ରେଟ୍‌ର ପ୍ରଦାନ କରିଥିଲେ । ଆଶଙ୍କା କରାଯାଉଥିବା କରୋନାର ତୃତୀୟ ଲହର ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କେତେ ପ୍ରସ୍ତୁତ ସେ ବିଷୟରେ କର୍ତ୍ତୃପର୍କ୍ଷଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।

ସିଡିଏମ୍‌ଓ ଭୀମ ସାହୁ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ନାୟକ, ଡା. ରଥ, ଡା ବାରା କଳିକେଶଙ୍କୁ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ । ପରେ ପରେ ନିର୍ମାଣାଧୀନ ଅମ୍ଳଜାନ ପ୍ରକଳ୍ପ ପରିଦର୍ଶନ କରିବା ସହ କଳିକେଶ ପାଟଣା ହୋଟେଲ ଛକ ସ୍ଥିତ ନିର୍ମାଣାଧୀନ ଘଣ୍ଟା ଘରର ପରିଦର୍ଶନ କରିଥିଲେ । ତେବେ ଆସନ୍ତା ଚାରି ମାସ ଭିତରେ ଘଣ୍ଟା ଘର ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି ପରିଦର୍ଶନରୁ ଜଣା ପଡିଥିଲା । କଳିକେଶଙ୍କ ଆଜିର ଏହି ତୁଫାନି ଗସ୍ତ ସମୟରେ ଦଳର ସମସ୍ତ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.