ବିଜୁ ଜନତା ଦଳର ସୁପ୍ରିମୋଙ୍କ ବଡ ନିଷ୍ପତ୍ତି : ୨୭% ପଛୁଆବର୍ଗଙ୍କୁ ଦେଶର ପ୍ରଥମ ଦଳ ଭାବେ ପ୍ରାର୍ଥୀ କରିବ ବିଜେଡ଼ି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୨୭% ପଛୁଆବର୍ଗ ତଥା ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ । କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ବରଂ ପରବର୍ତ୍ତୀ ନିର୍ବାଚନରେ ବି ବିଜେଡ଼ି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିବା ବେଳେ ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା ପାଇଁ ବିଜେଡି କହିବା ସହିତ ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଆହ୍ୱାନ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ପଛୁଆବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ । ସଂରକ୍ଷଣ ସୀମା ୫୦% ସିମୀତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । ଏପର୍ୟ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ସହିତ ଉପଯୁକ୍ତ ଦାବୀ ଉପସ୍ଥାପନ କରିବାକୁ ପଡିଥାଏ । ଯଦି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୁଏ ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୁଏ । ୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି । ପୂର୍ବଭଳି ରାଜ୍ୟଗୁଡିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧି ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି ।

Leave A Reply

Your email address will not be published.