jayashree

ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ୨୦ଜଣ କୁଷ୍ଠ ରୋଗୀଙ୍କୁ ମିଳିଲା ସହାୟତା

କୋରାପୁଟ, (କେପିଏନଏସ) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ଶୋଚନୀୟ ଅବସ୍ଥାରେ ଦିନ କାଟୁଥିଲେ ୨୦ ଜଣ କୁଷ୍ଠ ରୋଗୀ । ସେମାନଂକୁ କୌଣସି ସୁବିଧା ମିଳୁନଥିଲା । ଭୋକ ଉପାସରେ ଦିନ କାଟୁଥିଲେ । ସେମାନେ ବିଗତ ଦିନରେ ବିଭିନ୍ନ ମନ୍ଦିର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଭିକ ମାଗି ଦିନ କାଟୁଥିଲେ । କିନ୍ତୁ ଦେଢ଼ ବର୍ଷ ହେଲା ତାଲାବନ୍ଦ ହୋଇଥିବାରୁ ଅବସ୍ଥା ସାଙ୍ଘାତିକ ହୋଇଥିଲା । ସେମାନଙ୍କ ପାଇଁ କୁଷ୍ଠ କଲୋନୀ କିମ୍ବା ଅନ୍ୟ କୌଣସି ସୁବିଧା ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସମାଜରୁ ବାଛନ୍ଦ ହୋଇ ଦେଉଡା ଜଙ୍ଗଲ ଝଡସ୍ୱର ମନ୍ଦିର ପରିସର ଯାହାକି ଛତିଶଗଡ ସୀମାରେ ଅବସ୍ଥିତ ସେଠାରେ ରହୁଥିଲେ । ସେଠାରେ ଛୋଟ ଛୋଟ ଝୁପୁଡ଼ି କରି ପ୍ରାୟ ୨୦ ଜଣ ପୁରୁଷ ମହିଳା ବସବାସ କରୁଥିଲେ । ସେମାନଂକୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଗଣମାଧ୍ୟମରେ ନିବେଦନ କରିଥିଲେ । ଏହି ସମସ୍ୟା ବିଷୟରେ ଜାଣି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ସମସ୍ତ ତଥ୍ୟ ସଂଗ୍ରହ କରି କୋରାପୁଟ ଜିଲ୍ଲାପାଳ, ପଞ୍ଚାୟତୀରାଜ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଂକୁ ଥଇଥାନ କରିବାକୁ ନିବେଦନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୋଟପାଡ ବିଡ଼ିଓ ଏହାର ତଦନ୍ତ କରିଥିଲେ । ସେମାନଂକୁ ଗତ ଜୁଲାଇ ମାସ ୧୬ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ସେମାନଂକୁ ପ୍ରତି ମାସରେ ଭତ୍ତା ଓ ରାସନ ସାମଗ୍ରୀ ଦିଆଯାଉଛି । ଯେଉଁମାନେ କୁଷ୍ଠ ରୋଗରୁ ମୁକ୍ତ ହୋଇଛନ୍ତି ସେମାନଂକୁ ଖୁବ ଶୀଘ୍ର ‘ସହାୟ’ ଯୋଜନା ମାଧ୍ୟମରେ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.