କୃଷି ବୀମାରେ ଚଞ୍ଚକତା ମାମଲା : ପୋଲିସର ଅଧିକ ତଦନ୍ତ ଜାରି

  • ନକଲି ଚାଷୀ ଓ ସିଏସ୍‌ସି ସେଣ୍ଟର ପରିଚାଳକଙ୍କ ମଧ୍ୟରେ ଛାନିଆ
  • ଜଣେ ସିଏସସି ପରିଚାଳକ ସହ ୨ ନକଲି ଚାଷୀ ଗିରଫ

କଣ୍ଟାବାଞ୍ଜି, (ମନିଷ କୁମାର ହଂସ) : ଚଳିତ ୨୦୨୧-୨୨ ଫସଲ ବୀମା ଯୋଜନାରେ ପର ଜମିକୁ କେତେକ ନକଲି ଚାଷୀ ଚଞ୍ଚକତାକାରୀ ଫସଲବୀମା କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରି ଆସୁଥିବା ଅଭିଯୋଗ ପରେ ପ୍ରଶାସନ ଏବଂ ପୋଲିସ ଅଭିଯୋଗକୁ ଭିତ୍ତିକରି ଛାନ୍‌ଭିନ୍‌ କରିଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜି ଅଞ୍ଚଳରେ ଶହ ଶହ ହେକ୍ଟର ଜମି ନକଲି ଚାଷୀମାନେ ଚଞ୍ଚକତା କରି ବୀମା କରିଛନ୍ତି । ପୋଲିସର ଛାନ୍‌ଭିନ୍‌ ପରେ ଗତ ବୁଧବାର ଦିନ କଣ୍ଟାବାଞ୍ଜି ଥାନା ଚାଉଲସୁଖା ଗାଁର ଧନୁର୍ଜୟ ମେହେରଙ୍କ ଅଭିଯୋଗରେ ୩ଜଣ ଚଞ୍ଚକତାକାରୀ ଚାଷୀ ଦେବେନ୍ଦ୍ର ମେହେର, ବିଶିକେଶନ ମେହେର ଓ ଅର୍ଜୁନ ମେହେରକୁ କଣ୍ଟାବାଞ୍ଜି ପୋଲିସ କୋର୍ଟ ଚାଲାଣ ପରେ ଜାମିନ ନ ହେବାରୁ ଜେଲ ହାଜତକୁ ପଠାଇଛି । ସେହିପରି ଗତକାଲି ରବିବାର ଦିନ ନକଲି ଚାଷୀ ଓ ସିଏସ୍‌ସି ସେଣ୍ଟର ଗୁଡିକ ଦ୍ୱାରା ପ୍ରକୃତ ଚାଷୀର ଫସଲ ବୀମାକୁ ନେଇ ନକଲି ଚାଷୀ ଚଞ୍ଚକତାକାରୀ ନିଜ ନାମରେ କୃଷି ବୀମା ହାତେଇଥିବା ଘଟଣା ପୋଲିସ ତଦନ୍ତ ପରେ ଜାଣିପାରି ପୁନଃ ୩ଜଣ ସିଏସ୍‌ସି ସେଣ୍ଟର ପରିଚାଳକ କଣ୍ଟାବାଞ୍ଜି ରୋଡ ନଂ. ୪ର ସଂଜୟ କୁମାର ପଣ୍ଡା, ମୁରିବାହାଲ ବ୍ଲକ ବଡସାଇମରାର ନିରଂଜନ ମେହେର, ବଙ୍ଗୋମୁଣ୍ଡା ବ୍ଲକ ବେଲପଡାର ଜିତେନ୍ଦ୍ର ବେହେରାଙ୍କୁ ରବିବାର ଦିନ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବେଳେ ପୁଣି ଡଙ୍ଗାମରା ଗାଁର ଛବିମନ୍ୟୁ ପୁଟେଲଙ୍କ ଅଭିଯୋଗ କ୍ରମେ ଚାଉଲସୁଖାର ଦୁଇଜଣ ନକଲି ଚାଷୀ ଯଦୁପତି ମେହେର, ପ୍ରହଲ୍ଲାଦ ମେହେର ସହ ସେହି ଗ୍ରାମର ସିଏସ୍‌ସି ପରିଚାଳକ ବୈଲୋଚନ ମେହେରଙ୍କୁ ଥାନା କେସ ନଂ. ୧୭୬/ତା.୯/୮/୨୦୨୧ ରୁଜୁ କରି ସୋମବାର ଦିନ କୋର୍ଟ ଚାଲାଣ କରାଯାଇଛି ।

ପ୍ରକାଶ ଥାଉକି ଚଳିତ ବର୍ଷ ଫସଲ ବୀମା ନାଁରେ କେତେକ ଅଣଚାଷୀ ତଥା ଚଞ୍ଚକତାକାରୀମାନେ ସିଏସ୍‌ସି ସେଣ୍ଟର ପରିଚାଳକ ସହ ଅନ୍ୟ ଜମିକୁ ନିଜ ନାମରେ ଫସଲବୀମା କରି ଆସୁଥିଲେ । ପରବର୍ତ୍ତୀ ସମୟରେ ପ୍ରକୃତ ଚାଷୀ ନିଜେ ଫସଲବୀମା କରିବା ବେଳେ କମ୍ପୁଟରରେ ଗ୍ରହଣ ନ ହେବାରୁ ଜମି ଚୋରି କରି ଫସଲବୀମା ହେଉଥିବା ଜାଣିପାରି ସଂପୃକ୍ତ ତହସିଲଦାର ଏବଂ ନିଜ ଅଂଚଳର କୃଷି ଅଧିକାରୀମାନଙ୍କୁ ଅଭିଯୋଗ ଦେବା ସହ ନିକଟସ୍ଥ ଥାନା ଗୁଡିକରେ ଅଭିଯୋଗମାନ ଦେଲେ ଯାହା କଣ୍ଟାବାଞ୍ଜି ଥାନା ପୋଲିସ ତରଫରୁ ତତ୍ପରତା ଦେଖାଇ ଅଭିଯୋଗ କ୍ରମେ ଅନୁସଂଧାନ ଜାରି ପରେ ଅସଲ କଥା ପର୍ଦ୍ଦଫାସ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କଲା ପରେ ମାମଲା ରୁଜୁ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିଛି । ଏପରିକି ଅଭିଯୋଗମାନ ଦିନକୁ ଦିନ ଆସୁଥିବାରୁ ପୋଲିସ ବର୍ତମାନ ନକଲି ଚାଷୀ ଓ ସିଏସ୍‌ସି ସେଣ୍ଟର ପରିଚାଳକମାନଙ୍କ କାର୍ଯ୍ୟକଳାପକୁ ଅଧିକ ତଦନ୍ତ ଜାରି ରଖିଥିବାରୁ ନକଲି ଚାଷି ଓ ସିଏସ୍‌ସି ପରିଚାଳକଙ୍କ ମଧ୍ୟରେ ଛାନିଆ ପଶିଥିବା ଦେଖାଯାଇଛି । ଯାହା ବର୍ତମାନ ନକଲି ଚାଷୀ ଅସଲି ଜମି ମାଳିକମାନଙ୍କୁ ଗୁହାରି କରି ନିଜ ନିଜ ମଧ୍ୟରେ ଲିଖିତ ଏବଂ ଏଫିଡେଫିଟ ଜରିଆରେ ସମାଧାନ ଟଙ୍କା ନେଣଦେଣ କରି ସମାଧାନ କରିବାର ବାଟ ନକଲି ଚାଷୀ ଖୋଜୁଥିବାର ଦେଖିବାକୁ ମିଳିଛି । ଏହିପରି ଭାବେ ଯଦି ପୋଲିସ ନିଜର ଛାନ୍‌ ବିନ୍‌ ଜାରି ରଖି ନକଲି ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯଦି ପଛଘୁଂଚା ନ ଦିଏ ତାହା ହେଲେ ଆଗାମୀ ଦିନରେ ପ୍ରକୃତ ଚାଷୀ ନିଜର ଫସଲ ବୀମା ପାଇବାରୁ ବଂଚିତ ହେବ ନାହିଁ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.