ଛତ୍ରପୁର ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜରେ ନାମ ଲେଖାଇବା ପାଇଁ ଆସି ଯୁବକ ଯୁବତୀ ହୀନସ୍ଥା ହେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜ ଛତ୍ରପୁର କାର୍ଯ୍ୟାଳୟରେ ଜଣେ ନିଯୁକ୍ତି, ପୁଣି ସପ୍ତାହକୁ ଥରେ, ଗୁରୁବାର ଖୋଲାଯାଏ ବୋଲି ଲୋକେ କହିଥାନ୍ତି । ଗଞ୍ଜାମ ଜିଲ୍ଲା ହେଡକ୍ୱାଟର ଛତ୍ରପୁରରେ ଏଭଳି ଏକ ଦୟନୀୟ ପରିସ୍ଥିତି ଉପୁଜିଛି । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ଗୁରୁବାର ହାଟ ଗହଳିକୁ ୟାଡେ ସରକାରୀ କାର୍ଯ୍ୟାଳୟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଯୁବକ ଯୁବତୀଙ୍କ ଗହଳି, ଧାଡିବାନ୍ଧିବା ଏଠି ଇଏ ଏକ ହାଟ ପସରା ଭଳି ।

ଛତ୍ରପୁର ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜ ଅଫିସ ନିକଟକୁ ଦୂରଦୂରାନ୍ତରୁ ଆସି ଧାଡିକୁ ଧାଡି ହୋଇ ଲମ୍ବାଲାଇନରେ ଯୁବକ ଯୁବତୀମାନେ ଘଣ୍ଟା ଘଣ୍ଟା ଧରି ଖରା ହେଉ, ଅବା ବର୍ଷା ହେଉ ତିନ୍ତିବୁଡି ହୋଇ ଲାଇନରେ ଛିଡା ହେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି । ଅଗଣିତ ଶିକ୍ଷିତ ଯୁବକ ଯୁବତୀ ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜରେ ନାମ ଲେଖାଇବା ପାଇଁ ଆସି ଏଭଳି ଅସୁବିଧାର ଶିକାର ହେଉଥିବା ଅଭିଯୋଗ ହେଉଛି । ସେମାନେ କି ଦୋଷ କରିଛନ୍ତି ଯେ, ତାଙ୍କୁ ଏଭଳି ଦଣ୍ଡ ଭୋଗିବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି । ସୂଚନା ଥାଉକି, ଏହି ଅଫିସ ପୂର୍ବେ ଅନ୍ୟସ୍ଥାନରେ ଭଡାରେ ଚାଲୁଥିଲା । କିଛି ମାସ ହେଲା କଲେକଟୋରିଏଟ୍‌ ନିକଟ ଏକ ସରକାରୀ କୋଠାକୁ ଅଣାଯାଇଛି । ଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏକ ଉଚିତ ପଦକ୍ଷେପ ନେଇଛନ୍ତି । କିନ୍ତୁ ଅଫିସ ପରିସରରେ ଅନ୍ତତଃ ପକ୍ଷେ ଟିଣ ଚାଦର ବ୍ୟବସ୍ଥା କରିବା କଥା, ତାହା ବି ନାହିଁ । ଏହି ଏମ୍ପ୍ଲୟମେଣ୍ଟ ଅଫିସରେ କେବଳ ଜଣେ ମାତ୍ର କର୍ମଚାରୀ ନିଯୁକ୍ତ ହୋଇଛନ୍ତି, ତାହା ପୁଣି ଏହି ବିଭାଗରେ ଷ୍ଟାଫ ଅଭାବ ଯୋଗୁ ସପ୍ତାହକୁ ଥରେ ଏହି ଅଫିସ ଖୋଲା ଯାଇଥାଏ । ବ୍ରହ୍ମପୁର ଅଫିସରୁ ଏଠାକୁ ଜଣେ କର୍ମଚାରୀ ପ୍ରତି ସପ୍ତାହର ଗୁରୁବାର ଦିନ ହିଁ ଆସି ଅଫିସ ଖୋଲି ବସିଥାନ୍ତି, ନିଜ କାର୍ଯ୍ୟ ସମ୍ପାଦନା କରିଥାନ୍ତି । ଜଣେ ଲୋକ ଏହି ଶହଶହ ଯୁବକ ଯୁବତୀଙ୍କ କାର୍ଯ୍ୟ ସମ୍ପାଦନା କରିବା ବହୁ କଷ୍ଟକର ବ୍ୟାପାର ଅଟେ, ଯାହାକି ପିଲାମାନଙ୍କ ପକ୍ଷରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ବହୁତ କଷ୍ଟସାଧ୍ୟ । ତାହାପୁଣି ଖରା ହେଉ କିମ୍ବା ବର୍ଷାରେ ତିନ୍ତିବା ହେଉ, ଏଭଳି ଅବସ୍ଥା ପ୍ରତି ପ୍ରଶାସନ ଟିକେ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

ସୂଚନାନୁସାରେ, ଏହାର ସନ୍ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଛତ୍ରପୁର ସବଡିଭିଜନ ଅଧିନସ୍ଥ ବହୁ ଦୂରଦୂରାନ୍ତରୁ ପ୍ରାୟତଃ ଏକ ଶହ କି.ମି. ଦୂରରୁ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନାମ ପଞ୍ଜିକରଣ ଅବା ନବୀକରଣ କରିବାକୁ ଆସିବାକୁ ପଡିଥାଏ । ଗୁରୁବାର ଅସରାଏ ଝିପିଝିପି ବର୍ଷା ପଡ଼ିଥିଲେ ମଧ୍ୟ ପିଲାମାନେ ଧାଡ଼ିବାନ୍ଧି ଛିଡା ହୋଇ ରହି ନିଜର କାର୍ଯ୍ୟ ସରିବା ଯାଏଁ ଛିଡା ହୋଇଥାନ୍ତି । ପିଲାମାନେ ଧାରଣାରେ ଛିଡା ହେଲା ଭଳି ବର୍ଷାରେ ତିନ୍ତିଛନ୍ତି । ସେମାନଙ୍କୁ ଜ୍ୱର ହେବ, ଟେଷ୍ଟ କଲେ କୋରନା ବାହାରିବ ପରେ ପରିସ୍ଥିତି କଣ ହେବ ପ୍ରଶାସନ ଟିକେ ବୁଝିବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟଥା ବର୍ଷାରେ ତିନ୍ତିବା ଛଡା ଅନ୍ୟ ବିକଳ୍ପ ବ୍ୟବସ୍ଥା କିଛି ତାଙ୍କ ପାଖରେ ନଥିଲା । ଦୂରରୁ ବାଟ ଖର୍ଚ୍ଚ କରି, ଜଳଖିଆ ଟିକକ ଖାଇ ଆସି ଧାଡିବାନ୍ଧି ଛିଡା ହୋଇ ଘଣ୍ଟା ଘଣ୍ଟା କାଳ ଲାଇନରେ ରହିବା କେତେ କଷ୍ଟ ତାହା ପ୍ରତ୍ୟକ୍ଷ ଦର୍ଶୀ ହିଁ କହିବେ । ସରକାରୀ କଳକୁ ଆସି ଏଭଳି ଦୁର୍ଦ୍ଦଶା ଭୋଗିବା ଅର୍ଥ ମୋ ସରକାରର ଯୋଜନା ଏଠି ଫେଲ ମାରିବା ସହ ସମାନ ବୋଲି ବିଭିନ୍ନ ମହଲରେ କୁହାଯାଇଛି । ଜିଲ୍ଲା ହେଡକ୍ୱାଟରରେ ଯଦି ଏଭଳି ଏକ ଗରୁତ୍ୱପୂର୍ଣ୍ଣ ଅଫିସରେ ଷ୍ଟାଫ ନାହାନ୍ତି, କେବଳ ଜଣେ ମାତ୍ର ସରକାରୀ କର୍ମଚାରୀ, କିରାଣୀ ପାହ୍ୟାର ମାତ୍ର ଜଣେ ହିଁ ବ୍ୟକ୍ତିଙ୍କ ଡ୍ୟୁଟି କରିବା କଥା ବିଚାରକୁ ନିଆଯିବା ଉଚିତ । ସାଧାରଣ ଭାବେ ଏହା କି ପ୍ରକାର ସେବା ଦିଆଯାଉଛି, ତାହା ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ହେଡକ୍ୱାଟର ଛତ୍ରପୁରରେ ଅବସ୍ଥାପିତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ ପରିସରରେ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇଁ ଅନ୍ତତଃ ପକ୍ଷେ ଟିଣ ଚାଦର ବେଢ଼ାଇବା ସହ ପୂର୍ବଭଳି ଅଫିସରେ ଷ୍ଟାଫ ବର୍ଦ୍ଧିତ କରାଯାଇ ସବୁଦିନିଆ କାର୍ଯ୍ୟରେ ଲୋକଙ୍କୁ ସେବା ଯୋଗାଇ ମୋ ସରକାର ସମ୍ମାନ ପ୍ରଦାନ ଭଳି ଆଶୁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହୋଇଉଠିଛି ।

Leave A Reply

Your email address will not be published.