ବୁଣାକାରଙ୍କ ଭାଗ୍ୟ ବଦଳିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଘାତ ପ୍ରତିଘାତ ମଧ୍ୟରେ ପୂର୍ବପୁରୁଷ ଅମଳରୁ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆସିଥିବା ବୁଣାକାର ଜାତିର ସାମଗ୍ରୀକ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ପ୍ରତିବର୍ଷ ଅଗଷ୍ଟ ମାସ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଛନ୍ତି । ବାସ୍ତବ କ୍ଷେତ୍ରରେ ଏହା କେବଳ କାଗଜ କଲମ ମଧ୍ୟରେ ସିମୀତ ରହିଯାଉଥିବା ଦେଖିବାକୁ ମିଳିଛି । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବା ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ବୁଣାକାର ମାନଙ୍କର ଭାଗ୍ୟ ବଦଳିବ ସେମାନେ ଏବେ ଆଶଙ୍କାରେ ରହିଛନ୍ତି । କୌଳିକ ବୃତ୍ତିକୁ ବଞ୍ଚାଇ ରଖି ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକର ବହୁ ଗ୍ରାମାଞ୍ଚଳର ଯେଉଁ କେତେକ ହସ୍ତତନ୍ତ କାରିଗର ଦିନରାତି କଠିନ ପରିଶ୍ରମ କରି ଲୁଗା ବୁଣୁଛନ୍ତି ସେମାନେ ନାନା ସମସ୍ୟାରେ ଜର୍ଜରିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ହସ୍ତତନ୍ତ କାରିଗରଙ୍କ ହାତର ସ୍ୱର୍ଶରେ ବିଭିନ୍ନ କିସମର ସମ୍ବଲପୁରୀ ଲୁଗା ପ୍ରସ୍ତୁତ ହୋଇ ଏ ଅଞ୍ଚଳର ଶୋଭା ବର୍ଦ୍ଧନ କରୁଛି । ଯାହାର ଆଦର ସାରା ବିଶ୍ୱରେ ରହିଛି ।ତେବେ ହସ୍ତତନ୍ତ କାରିଗରଙ୍କୁ କମ୍ ପାରିଶ୍ରମିକ ମିଳୁଥିବାରୁ ଏମାନଙ୍କ ଅବସ୍ଥା ଦିନକୁ ଦିନ ଦୁର୍ବିସହ ହେବାକୁ ଲାଗିଲାଣି । ଫଳରେ ଶହ ଶହ ବୁଣାକାର ପରିବାର ଏବେ ନିଜ କୌଳିକ ବୃତ୍ତିରୁ ଦୂରେଇ ଯାଉଛନ୍ତି ।

ପ୍ରୋତ୍ସାହନର ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁଁ ହସ୍ତତନ୍ତ ବୁଣାକାର ମାନେ ଅନ୍ୟ ରୋଜଗାର ପନ୍ଥା ଅପଣାଇବାକୁ ବାଧ୍ୟ ହେଉଛନ୍ତି । ପୂର୍ବ ପୁରୁଷ ଅମଳରୁ ଚାଲି ଆସିଥିବା ଏହି ପରମ୍ପରା ଏବେ ନାନା କାରଣରୁ ବନ୍ଦ ହେବାକୁ ବସିଛି । ବରଗଡ଼ ଜିଲ୍ଲାର ମୁଖ୍ୟତ ବରପାଲି, ବିଜେପୁର, ଭଟଲି, ଅତାବିରା, ଭେଡେନ, ଗାଇସିଲେଟ, ଝାରବନ୍ଧ, ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବହୁ ଗ୍ରାମରେ ଏହି ହସ୍ତତନ୍ତ ବୁଣାକାର ମାନେ ନିଜର କୌଳିକ ବୃତ୍ତିରେ ଅଛନ୍ତି । ତେବେ କିଛି ବର୍ଷ ହେବ ପରିବାର ଭରଣ ପୋଷଣ ପାଇଁ ଅନ୍ୟ ପନ୍ଥା ଅବଲମ୍ବନ କରୁଥିବାରୁ ଦିନକୁ ଦିନ ଉତ୍ପାଦନ ହ୍ରାସ ପାଇବାକୁ ବସିଲାଣି । ହସ୍ତତନ୍ତ ପରିବାର ବର୍ଗଙ୍କ ମଧ୍ୟରେ ସମସ୍ତ ସଦସ୍ୟ କଠିନ ପରିଶ୍ରମ କରି ଲାଗିଲେ ପ୍ରାୟ ଦିନକୁ ଗୋଟିଏ କିମ୍ବା ଦୁଇ ଦିନରେ ସର୍ବାଧିକ ୩ଟି ଶାଢ଼ୀ ବୁଣିଥାନ୍ତି ।

ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ହସ୍ତତନ୍ତ କାରିଗର ମାନେ ଲୁଗା ଉତ୍ପାଦନ ପାଇଁ ଆଗଭଳି ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ହସ୍ତତନ୍ତ ପରିବାର ମାନେ କମ୍ ପାରିଶ୍ରମିକ ପାଉଥିବା ଯୋଗୁଁ ଏହାକୁ ବୃତି ରୂପେ ନେଇ ପରିବାର ପ୍ରତିପୋଷଣ କରିବା ସହଜ ସାଧ୍ୟ ହେଉନାହିଁ । କଠିନ ପରିଶ୍ରମରେ ଯାହା କିଛି ଲାଭ ହେଉଛି ସେଥିରେ କେବଳ ହସ୍ତତନ୍ତ କାରିଗରଙ୍କ ତେଳ ଲୁଣରେ ସଂସାର ଚାଲୁଛି । ପୂର୍ବପୁରୁଷ ଅମଳରୁ ବୁଣାକାର ମାନେ ସୁତାକୁ ବିଭିନ୍ନ ଛନ୍ଦରେ ଛନ୍ଦିତ କରି ବୁଣୁଥିବା ବିଭିନ୍ନ ବସ୍ତ୍ର କେବଳ ମଣିଷର ଲଜ୍ଜା ନିବାରଣ କରେ ନାହିଁ ବରଂ ବ୍ୟକ୍ତି ଓ ଜାତି ଆଧାରରେ ଦେଇଥାଏ ସ୍ୱତନ୍ତ୍ର ମାନ୍ୟତା । ଐତିହସମ୍ପନ୍ନ ବୟନ କଳାକୁ ଯୁଗ ଯୁଗ ଧରି ବଞ୍ଚାଇ ଆସିଥିବା ବୁଣାକାର ଆଜି ଦାରିଦ୍ର୍ୟର କଷାଘାତରେ ଜର୍ଜରିତ । ରାଜ୍ୟର ନିର୍ମାଣ ଶ୍ରମିକଙ୍କ ପାଇଁ ଅନେକ ଯୋଜନା ହେଲେ ବିଶ୍ୱ ଦରବାରରେ ଓଡ଼ିଆ ଜାତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏହି ବୁଣାକାରଙ୍କୁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି । ମେସିନ ତନ୍ତରେ ଉତ୍ପାଦିତ ବସ୍ତ୍ର ଅପେକ୍ଷା ସ୍ୱାଭାବିକ ଭାବେ ହାତବୁଣା ଲୁଗାର ଦର ଅଧିକ ରହୁଥିବାରୁ ଏହାର ବିକ୍ରିବଟା କମିବାରେ ଲାଗିଛି । ବିଭାଗୀୟ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.