ସ୍ୱର ଉଠାଇଲେ ବାମପନ୍ଥୀ : ‘ମୋଦି ସରକାର ଗାଦି ଛାଡ଼’

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ୍‌ର ବୃଦ୍ଧି ଏକ ଅଗଣତାନ୍ତ୍ରିକ ନୀତି ବୋଲି ବାମପନ୍ଥୀ ଦଳ ଘୋର ସମାଲୋଚନା କରିଛି । ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ, ଡାଲି, ଚିନି, ଘିଅ, ଖାଇବା ତେଲ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଡାକରା ନବେ ପ୍ରତିଶତ ସଫଳ ହୋଇଛି । ବାମପନ୍ଥୀ ଦଳ, କଂଗ୍ରେସ, ଆମ ଆଦମୀ ପାର୍ଟିର ମିଳିତ ଡାକରା କ୍ରମେ ଗୁରୁବାର ଓଡିଶା ବନ୍ଦ ସଫଳ ହୋଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର, ବ୍ରହ୍ମପୁର, ଚମାଖଣ୍ଡି, ଗଞ୍ଜାମ, ରମ୍ଭା ଖଲ୍ଲିକୋଟର ଜାତୀୟ ରାଜରାସ୍ତାରେ ସମସ୍ତ ଭାରୀଯାନ, ଅନ୍ୟାନ୍ୟ ଯାନବାହନ ସକାଳ ୬ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ମଧ୍ୟରେ ରାସ୍ତା ଉପରେ ଅଟକି ଯାଇଥିଲା । ମଧ୍ୟାହ୍ନ ୧୨ ଘଣ୍ଟା ପରେ ସମସ୍ତ ଯାନବାହନ ଚଳାଚଳ ଓ ବ୍ୟବସାୟ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ ଖୋଲିଥିଲା । ସକାଳୁ ସକାଳୁ ସିପିଆଇ, ସିପିଆଇ(ଏମ୍) ପ୍ରମୁଖ ବାମଦଳ ତରଫରୁ ବାଇକ ରାଲି ମାଧ୍ୟମରେ ବୁଲି ବୁଲି ପ୍ରଚାର କରି ବନ୍ଦ ପାଳନକୁ ସଫଳ କରିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଝୁଲାଇ, ଲାଲଝଣ୍ଡା ଉଡାଇ କେନ୍ଦ୍ରରେ ନେତୃତ୍ତ୍ୱ ନେଇଥିବା ମୋଦି ସରକାରଙ୍କ ବିରୁଦ୍ଧରେ କଟୁ ସମାଲୋଚନା କରି ସ୍ଲୋଗାନ ଦେଇ ହରତାଳ ସୃଷ୍ଟି କରିଥିଲେ । ‘ମୋଦି ସାହେବ ଗାଦି ଛାଡ଼’, ‘ନରେନ୍ଦ୍ର ମୋଦୀ ଡାଉନଡାଉନ’ ବୋଲି ସ୍ୱର ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛତ୍ରପୁର ବସଷ୍ଟାଣ୍ଡ ଏବଂ ବାଇପାସ ଡିଆରଡିଏ ଛକ ନିକଟରେ ପ୍ରତୀକ ଧାରଣା ଦେଇଥିଲେ । ବାମପନ୍ଥୀ ଦଳ ରାଜ୍ୟ କାର୍ଯ୍ୟକାରିଣୀ ନେତା ଏନ.ନାରାୟଣ ରେଡ୍ଡୀ, ନୀଳକଣ୍ଠ ଦାସ, ଆଡଭୋକେଟ ଡ଼. ଆଦିନାରାୟଣ ରେଡ୍ଡୀ, ସାଲାକ୍ରିଷ୍ଣା ରେଡ୍ଡୀ, ଏନ.ଭାନୁମତୀ ରେଡ୍ଡୀ, ପର୍ଶୁରାମ ଗୌଡ଼, କଂଗ୍ରେସ ପକ୍ଷରୁ ଭାଗିରଥି ବେହେରା ପ୍ରମୁଖ ବହୁ ବରିଷ୍ଠ ବ୍ୟକ୍ତି ନେତୃତ୍ତ୍ୱ ନେଇଥିଲେ ।

Leave A Reply

Your email address will not be published.