ଛତ୍ରପୁରର ସମର୍ଥ ଆବାସିକ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲା ଶାରିରୀକ ଅକ୍ଷମ ସଂଗଠନର ୨୨ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଂଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର କେ. ଆନନ୍ଦ ରାଓ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ପ୍ରତିବର୍ଷ ଏହି ଦିବସକୁ ସମର୍ଥ ପକ୍ଷରୁ ମହା ଆଡମ୍ବରରେ ପାଳନ କରାଯାଉଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ଗତ ୨ ବର୍ଷ ହେଲା ପାଳନ ହୋଇ ପାରୁନାହିଁ । ଏହିପରି ବିପରୀତ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନ ତା’ର କାର୍ଯ୍ୟକ୍ରମମାନ ଯଥା ସମ୍ଭବ ସମ୍ପାଦନା କରି ଆସୁଅଛି ବୋଲି ଅନୁଷ୍ଠାନର ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ପ୍ରକାଶ କରିଥିଲେ । ଆଜି ଏହି ଅନୁଷ୍ଠାନ ତା’ର ନିଜସ୍ୱ ସ୍ଥାନ ସାମୀୟାପଲ୍ଲୀଠାରେ ବୃକ୍ଷ ରୋପଣ ସହ ଦାମିୟାମ ନଗରଠାରେ ଥିବା ୪୮ ଭିନ୍ନକ୍ଷମ ପରିବାରର ୧୨୦ ଜଣ ଲୋକଙ୍କୁ ଖାଦ୍ୟ ବିତରଣ କରିଥିଲେ । ବିଗତ ୨୧ ବର୍ଷ ଭିତରେ ଏହି ଅନୁଷ୍ଠାନଟି ବହୁ ସଫଳତା ହାସଲ କରିଅଛି ଯଥା-୪୯ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ଭାରତ ଇତିହାସରେ ପ୍ରଥମଥର ପାଇଁ ହ୍ୱି ଚେୟାରରେ ବସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ବିଜ୍ଞାନରେ +୨ ଉତ୍ତୀର୍ଣ୍ଣ ହେବା ସହ ଡାକ୍ତରୀ ଡ଼ିଗ୍ରୀ ହାସଲ କରି ପାରିଛନ୍ତି । ଏଠାରେ ପଢ଼ୁଥିବା ପିଲାମାନେ ଏମ୍‌. ଟିଚ୍‌, ସିଟି, ବି. ଇଡି. ଓ ଏଲ୍‌ଏଲ୍‌ବି ଆଦି ପାଠ ସାରି ବହୁ ଛାତ୍ରଛାତ୍ରୀ ଶିକ୍ଷକ, କନିଷ୍ଠ କିରାଣୀ, ଡାଟାଏଣ୍ଟ୍ରି ଅପରେଟର, ଫାର୍ମାସିଷ୍ଟ, ଅଙ୍ଗନବାଡି କର୍ମୀ ଆଦି ପଦବୀରେ ନିଯୁକ୍ତି ପାଇଛନ୍ତି । ଏଥିପାଇଁ ଅନୁଷ୍ଠାନ ବହୁଥର ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ ମଧ୍ୟ ସମ୍ମାନୀତ ଓ ପୁରସ୍କୃତ ହୋଇଛି କ୍ଷ ଗତ ବର୍ଷ ନାଲକୋ ସ୍ମାଇଲ୍ସ ସମ୍ମାନ ୨୦୨୦ରେ ସମ୍ମାନୀତ ହୋଇ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଏକ ଲକ୍ଷ ଅର୍ଥରାଶି ପାଇ ପାରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ତରଫରୁ ଘୋଷଣା କରାଯାଇଥିଲା ଯେ, ଚଳିତବର୍ଷ ମହାସଂଘ ତରଫରରୁ ୩ଟି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେଥି ମଧ୍ୟରୁ ବ୍ରହ୍ମପୁରଠାରେ ସ୍ୱପରାୟଣାତା ଓ ବହୁବିଧ ଭିନ୍ନକ୍ଷମ (ଆୟୁଷ୍ଟିକ୍‌/ ମଲଟିପଲଡିଜାବ୍ଲେଡ୍‌) ପିଲାମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବିଦ୍ୟାଳୟ, ଛତ୍ରପୁରଠାରେ ଭିନ୍ନକ୍ଷମ ଯୁବକଯୁବତୀମାନଙ୍କ ନିମନ୍ତେ ଏକ ଧନ୍ଦାମୂଳକ ତାଲିମକେନ୍ଦ୍ର ଓ ସାମୀୟାପଲ୍ଲୀଠାରେ ଶାରିରୀକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କ ନିମନ୍ତେ ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା କରାଯିବ । ତେଣୁ ସ୍ୱପରାୟଣାତା ଓ ବହୁବିଧ ଭିନ୍ନକ୍ଷମ ପିଲାମାନଙ୍କ ଅଭିଭାବକ ମାନେ, ତାଲିମ ନେବାକୁ ଇଛୁକ ଥିବା ୧୮ରୁ ୪୪ ବର୍ଷ ମଧ୍ୟର ଭିନ୍ନକ୍ଷମ ଲୋକମାନେ ଓ ୫୫ ବର୍ଷରୁ ଉର୍ଦ୍ଧ ମାନସିକ ଅନଗ୍ରସର ଓ ଶାରିରୀକ ଭିନ୍ନକ୍ଷମ ଲୋକମାନଙ୍କ ପରିବାରବର୍ଗର ଲୋକମାନେ ମହାସଙ୍ଘର ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓଙ୍କ ମୋବାଇଲ ନମ୍ବର-୯୪୩୭୦୪୯୪୫୭ କିମ୍ବା ୯୮୬୧୦୬୩୫୮୧ ଯୋଗେ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରାଯାଉଛି । ବିଦ୍ୟାଳୟର ଏବଂ ମହାସଂଘର ସମସ୍ତ କାର୍ୟ୍ୟରେ ସାମ୍ବାଦିକ ବନ୍ଧୁମାନେ ସମସ୍ତ ପ୍ରକାର ସହଯୋଗ କରୁଥିବାରୁ ଛତ୍ରପୁରର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏହି ସାମ୍ବାଦିକ ସମ୍ମିଳନୀକୁ ସାଙ୍ଗ କରାଯାଇଥିଲା । ଏଥିରେ ମହାସଂଘର ସଭାନେତ୍ରୀ ଡା. ୱା. ଲକ୍ଷ୍ମୀ, ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ, କୋଷାଧ୍ୟକ୍ଷା ଡା. ସରୋଜିନୀ ସେଠୀ, ସମର୍ଥ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ. ଶର୍ମିଷ୍ଠା ମିଶ୍ର ଓ ମହାସଂଘର ଅନ୍ୟତମ ସଦସ୍ୟ ତଥା ସହକାରୀ ଶିକ୍ଷକ ଶଙ୍କର ମହାନ୍ତି ଉପସ୍ଥିତ ଥିଲେ । ଏଥିରେ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.