ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟନ୍ୱୟରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା ବିଜେପି ତରଫରୁ ବଲାଙ୍ଗିର ସଦର ବ୍ଲକ ଘେରାଉ କରାଯାଇଛି । ଆଜି ସକାଳୁ ଜିଲ୍ଲା ବିଜେପିର ଶତାଧିକା ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ବଲାଙ୍ଗିର ସଦର ବ୍ଲକ ପହଞ୍ଚି ଆବାସ ଯୋଜନାରେ ରାଜ୍ୟ ସରକାର ତଥା କର୍ମଚାରୀମାନେ ବ୍ୟାପକ ଦୁର୍ନିତି କରୁଥିବା ଅଭିଯୋଗ କରିବା ସହ ବିଜେଡି ସରକାର ବିରୁଦ୍ଧରେ ନାରାବାଜି ଓ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପରେ ପରେ ବଲାଙ୍ଗିର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ବିଜେପି ତରଫରୁ ଏ ସଂପର୍କରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟର ଗରିବ ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ୨୯.୯୧ଲକ୍ଷ ଆବାସ ଘର ସହାୟତା କେନ୍ଦ୍ର ସରକାର ଦେଇ ସାରିଥିବା ବେଳେ ଏବେ ପୁଣି ୮.୧୭ଲକ୍ଷ ଘର ପାଇଁ ପ୍ରଧାନମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ଗରିବ ଜନସାଧାରଣଙ୍କ ପକ୍କା ଘର ପାଇଁ ଆସିଥିବା ଏହି କେନ୍ଦ୍ରୀୟ ଅନୁଦାନ ଅନିୟମିତତା ଓ ଭ୍ରଷ୍ଟାଚାର ଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଉଛି । ବିଭିନ୍ନ ବାହାନାରେ ପାଖାପାଖି ୯୮୫୦୦ ହିତାଧିକାରୀଙ୍କ ନାମ ଓଭର ରାଇଟ କରି ବଦଳାଇ ଦିଆଯାଇଛି । ଆହୁରି କେତେକ ସ୍ଥାନରେ ଗୋଟିଏ ପରିବାରରୁ ଏକାଧିକ ଜଣଙ୍କୁ ଆବାସ ଯୋଜନାରେ ସାମିଲ କାରାଯାଇଥିବା ବେଳେ କେତେକ ସ୍ଥାନରେ ଅଧାପନ୍ତରିଆ କାମକୁ ସଂପୁର୍ଣ୍ଣ ଦେଖାଇ ମିଥ୍ୟା ରେିପୋର୍ଟ ପ୍ରଦାନ କରାଯାଇଛି । ଯଦ୍ୱାରା ଏହି ଯୋଜନାରେ ପ୍ରାୟ ୧୦୦୦କୋଟି ଟଙ୍କାର ଦୁର୍ନିତି ହୋଇଥିବା ଆକଳନ କରାଯାଉଛି । ବିଜେପି ପକ୍ଷରୁ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୌଣସି ସୁଫଳ ମିଳୁନାହିଁ । ଓଲୋଟା ରାଜ୍ୟ ସରକାର ସଂପୁର୍ଣ୍ଣ ଘଟଣା ଉପରେ ଚୁପ ରହି ପରୋକ୍ଷରେ ଦୁର୍ନିତିକୁ ସହଯୋଗ କରୁଥିବା ମନେ ହେଉଛି । ଏଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଖୋଦ ମହାମାହିମ ରାଜ୍ୟପାଳ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ବିଜେପି ଦାବୀ କରିଛି । ଏହି କାର୍ଯ୍ୟକ୍ରମରେ ବିଜେପି ଦଳ ପକ୍ଷରୁ ଅନନ୍ତ ଦାଶ, ପିତାମ୍ବର ଖମାରୀ, ଅନୀଲ ପାଣୀଗ୍ରାହୀ, ପ୍ରଭାସ ପାଣିଗ୍ରାହୀ, ରଞ୍ଜିତା ପାଣିଗ୍ରାହୀ, ରଶ୍ମୀରେଖା ଦାନୀ, ସୁରମ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।