ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର : ବିଧାୟକ ସାଲୁଜା

  • ଦିନ ମଜୁରିଆରୁ ଶହ ଶହ କୋଟିର ମାଲିକ ଟିକେଲାଲ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀରେ ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ସମୟ ପୂର୍ବରୁ ଜିଲ୍ଲା ଯୋଗଣ ବିଭାଗରେ ଦିନ ମଜୁରିଆ ଭାବେ କାମ କରୁଥିବା ଟିକେଲାଲ ସାହୁ ଓ ଭାଇ କବି ସାହୁ ଦୁର୍ନୀତି ବଳରେ ହଠାତ୍‌ ଧନ କୁବେର ପାଲଟିଛନ୍ତିି । ଜିଲ୍ଲା ପ୍ରଶାସନ ଓ ଯୋଗଣ ବିଭାଗ ସବୁ ଜାଣି ଶୁଣି ସାହୁ ଭ୍ରାତାର ଇସାରାରେ ଚାଲୁଥିବା ବେଳେ ରାଜ୍ୟ ସରକାର ଏହାର ତଦନ୍ତ କରିବା ପରିବର୍ତ୍ତେ ଟିକେଲାଲ ଓ ସହେଯାଗୀଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡାଇ ଚାଲିଛନ୍ତି ବୋଲି ଅଭିଯୋଗ କରିବା ସହ ସାହୁ ଭାତୃଦ୍ୱୟ ଓ ସହେଯୋଗୀଙ୍କ ଦୁର୍ନୀତିର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବୀରେ ଆଜି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ଓ କଣ୍ଟାବାଞ୍ଜି ଏନ୍‌ଏସିର ଶତାଧିକ କଂଗ୍ରେସକର୍ମୀ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସରକାର ଜିଲ୍ଲାରେ ଦାରିଦ୍ର ଦୂରୀକରଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ଓ ୫ଟି ଏନ୍‌ଏସିର ସମସ୍ତ ଯୋଜନାର ଲିପ୍ଟିଙ୍ଗ ଓ ଟ୍ରାନ୍ସପୋଟିଂ ଦାୟିତ୍ୱ ଟିକେଲାଲ ସାହୁ, କବି ସାହୁ ଓ ତାଙ୍କ ସହଯୋଗୀଙ୍କୁ ମିଳିଛି । ସେମାନେ ସରକାର ପ୍ରଦତ୍ତ ବିଭିନ୍ନ ଯୋଜନାରେ ସେମାନେ କ୍ୱଣ୍ଟାଲ ପିଛା ୬ରୁ ୮ କେଜି ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ବାଟ ମାରଣା କରୁଛନ୍ତି । ଫଳରେ ୨୦୧୨ରେ ଜିଲ୍ଲା ଯୋଗାଣ ବିଭାଗରେ ଦିନ ମଜୁରିଆ ଭାବେ କାମ କରୁଥିବା ଟିକେଲାଲ ସାହୁ ଏବେ ଧନ କୁବେର ପାଲଟି ଶହ ଶହ କୋଟିର ମାଲିକ ହୋଇପାରିଛନ୍ତି । ବହୁବାର ତାଙ୍କର କଳା କାରନାମା ସର୍ବସମ୍ମୁଖକୁ ଆସି ମାମଲାଦାୟର ହୋଇଥିବା ସତ୍ୱେ ରାଜ୍ୟ ସରକାର କାହିଁକି ତାଙ୍କୁ ଘଣ୍ଟଘୋଡାଇ ରଖିଛନ୍ତି ବୋଲି କଣ୍ଟାବାଞ୍ଜି ବିଧାୟକ ସାଲୁଜା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କିଛି ଦିନ ପୂର୍ବେ ମୁରିବାହାଲର ବିଭିନ୍ନ ଅଙ୍ଗନବାଡୀରେ ବସ୍ତା ପିଛା ୮କିଲୋ କମ ଚାଉଳ ବାଣ୍ଟିଥିବା ଟିକେଲାଲ ଏଫସିଆଇରୁ ଚାଉଳ ଉଠାଇନଥିବା ଧରା ପଡିଥିଲା । ଏଥିରେ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଟିକେଲାଲ ସଫା ସଫା ଖସି ଯାଇଥିଲେ । ସେହିପରି ୧ ଜୁନ୍‌ ୨୦୧୩ ରେ ୩୦୦ ବସ୍ତା ଗହମ ଚୋରା ଚାଲାଣ କରୁଥିବା ବେଳେ ବଲାଙ୍ଗିର ଏସ୍‌ପି ଗହମ ସିଜ୍‌ କରି ଟିକେଲାଲ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ଏହି ମାମଲାରେ ଟିକେଲାଲ ଜେଲ ଯାଇ ଜାମିନରେ ଫେରିଥିଲେ । ୨୦୧୪ ମସିହାରେ ଟିକେଲାଲଙ୍କ ସୋନୁ ରାଇସ ମିଲକୁ ରେଡ କରି ୧୦୨୨ ବସ୍ତା ଚାଉଳ ସିଜ୍‌ କରିଥିଲେ । ସେହିପରି ଟିକେଲାଲ ସାରା ଜିଲ୍ଲାର ଅନ୍ତୋଦୟ, ଅନ୍ନପୂର୍ଣ୍ଣା, ମୈତ୍ରିୀ କେନ୍ଦ୍ର ଓ ଆହାର କେନ୍ଦ୍ର ମାଙ୍କରେ ବର୍ଷ ବର୍ଷ ଧରି ଦୁର୍ନୀତି କରୁଥିବା ଅଭିଯୋଗ ରହିଛି । ଟିକେଲାଲଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଓ ତୁଷୁରା ଆହାର କେନ୍ଦ୍ରରେ ମାତ୍ର ୧୫୦ରୁ ୨୦୦ ଲୋକଙ୍କ ପାଇଁ ରନ୍ଧାଯାଇ ଶହ ଶହ ଲୋକଙ୍କ ଖାଇବା ବିଲ୍‌ ଉଠାଯାଉଛି । ଏଭଳି ବିଭିନ୍ନ ଦୁର୍ନୀତି ମାମଲା ଟିକେଲାଲ ଓ ସହେଯାଗୀ ନାମରେ ବର୍ଷ ବର୍ଷ ହେଲା ଗଡିଚାଲୁଛି । ଏପଟେ ଦୁର୍ନୀତି ବଳରେ କିଛି ସମୟ ପୂର୍ବରୁ ଦିନ ମଜୁରିଆ ଭାବରେ କାମ କରୁଥିବା ଟିକେଲାଲ ବଲାଙ୍ଗିରରେ ମାର୍କେଟ କମ୍ପଲେକ୍ସ, ଟିଟିଲାଗଡରେ ହୋଟେଲ ଓ ଲଜ୍‌, ବାନ୍ଦୁପଲାରେ ରୋସୋର୍ଟ, କ୍ରସରର ମାଲିକ ହୋଇପାରିଛି । ସେହିପରି କବି ସାହୁ ଓ ସହେଯାଗୀଙ୍କ ନାମରେ ୫୦ରୁ ଅଧିକ ଚାରିଚକିଆ ଜାନ ଓ ଛଅ ଚକିଆ ଜାନ ରହିଛି । ବିଧାନସଭା ତଥା ବିଭିନ୍ନ ମଂଚରେ ଏହାକୁ ନେଇ ପ୍ରଶ୍ନ କରାଯିବା ସତ୍ୱେ ସରକାର ଟିକେଲାଲ ସାହୁଙ୍କୁ ନେଇ ମୌନ ରହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଧାୟକ ସାଲୁଜା । ଅନ୍ୟପଟେ ଟିକେଲାଲ ଗରିବ ଜନସାଧାରଣଙ୍କ ପାଇଁ ଆସିଥିବା ସରକାରୀ ସହାୟତାରୁ ନିଜର ଦୁର୍ନୀତିର ସମ୍ରାଜ୍ୟ ବିସ୍ତାର କରି ଚାଲିଛି । ରାଜ୍ୟ ସରକାର ଉକ୍ତ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା ସହ ଦୋଷୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାଲୁଜାଙ୍କ ବ୍ୟତୀତ କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରା, ଉପସଭାପତି ସନ୍ତକ ବହିଦାର, ପ୍ରଫୁଲ୍ଲ କୁମାର ବଘାର, ବିଭୀଷଣ ମହାନନ୍ଦ, ବେଲାରସେନ ବେହେରା, ଜିତେନ ହାତୀ, କେ. ଗଣନାଥ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.