ବୌଦ୍ଧ ଜିଲ୍ଲାରେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ କଜୁଗେଟ୍ ଟୀକା

ବୌଦ୍ଧ, (ବଂଶୀଧର ମାଝୀ) : ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍ କଜୁଗେଟ୍ ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ଏ ପରିପ୍ରେକ୍ଷୀରେ ବୌଦ୍ଧ ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା ତାଲିମ୍ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ନିମୋକୋକାଲ୍ କଜୁଗେଟ୍ ଟିକାକରଣର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରୂପେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ସ୍ୱାଗତ ଭାଷଣ ଦେବା ସହ ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବାରେ ନିମୋକୋକାଲ୍ ଟୀକାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଦୃଶ୍ୟଶ୍ରାବ୍ୟ ଯୋଗେ ନିମୋକୋକାଲ୍ କଜୁଗେଟ୍ ଟୀକାକରଣ କାର୍ଯ୍ୟକ୍ରମର ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଜଜ୍‌କିଶୋର ରାମଚନ୍ଦ୍ର ଦେଓ ହେମୁମ୍ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ୨୦୨୦-୨୧ ବର୍ଷରେ ବୌଦ୍ଧ ଜିଲ୍ଲାରେ ଏକ ବର୍ଷ ମଧ୍ୟରେ ମୋଟ ୧୦୬ ଜଣ ଶିଶୁଙ୍କ ମଧ୍ୟରୁ କେବଳ ନିମୋନିଆ ସଂକ୍ରମଣରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଏହି ଟୀକା ସାମିଲ୍ ହେବା ଫଳରେ ଜିଲ୍ଲାରେ ବର୍ଷକୁ ପ୍ରାୟ ୭୫୦୦ଶିଶୁକୁ ନିମୋନିଆ ତଥା ମସ୍ତିଷ୍କକ୍‌ରରୁ ସୁରକ୍ଷା ଦିଆଯାଇ ପାରିବ । ଜନ୍ମର ପ୍ରଥମବର୍ଷ ମଧ୍ୟରେ ଶିଶୁଙ୍କୁ ଏହିଟିକାର ତିନିଟି ମାତ୍ର ଦେଢମାସ, ସାଢେ ତିନିମାସ, ନଅମାସରେ ପ୍ରଦାନ କରାଯିବ । ଆସନ୍ତା ଜୁଲାଇ ମାସ ପ୍ରଥମ ବୁଧବାରଠାରୁ ସମଗ୍ର ଜିଲ୍ଲାର ୨୭୨ଟି ଟୀକାକରଣ କେନ୍ଦ୍ରରେ ଏହି ପିସିଭି ଟିକା ଦେଢମାସ ହୋଇଥିବା ସମସ୍ତ ଶିଶୁଙ୍କୁ ମାଗଣାରେ ଦିଆଯିବ । ଏଥି ନିମନ୍ତେ ଜିଲ୍ଲାସ୍ତରରେ ସମସ୍ତ ପ୍ରସ୍ତୁତି ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ୍ ଶେଷ ହୋଇଅଛି । ଜିଲ୍ଲାରେ ପ୍ରଥମଥର ପାଇଁ ଆଜି ୯ ଜଣ ଶିଶୁଙ୍କୁ ଏହି ଟୀକା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ମଦନମୋହନ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡ. କିଶୋରଚନ୍ଦ୍ର ପଟ୍ଟନାୟକ, ଶିଶୁରୋଗ ବିଶେଷଜ୍ଞ ଡା. ବିଜୟ କୁମାର ସାହୁ, ଡିପିଏମ୍ ରୂପକ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତ ବଳିଆର ସିଂ, ଡିଡିଏମ୍ ଅଶୋକ କୁମାର ମିଶ୍ର, ଦୋଳଗୋବିନ୍ଦ ପ୍ରଧାନ, ଅମ୍ରତା ପଟ୍ଟନାୟକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏଡିପିଏଚସିଓ ରବିନ୍ଦ୍ର କୁମାର ପ୍ରଧାନ ଓ ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.