ନାଇକେନପାଲିରେ ପିସିଭି ଟୀକା ପାଇଁ ପ୍ରଚାର ରଥ ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନ୍ୟୁମୋକୋକାଲ କଞ୍ଜୁଗେଟ୍‌ ଭ୍ୟାକସିନ ବା ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଆଜି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଆଗାମୀ ୯ ଜୁଲାଇ ଯାଏଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସମସ୍ତ ଗ୍ରାମରେ ବୁଲି ଏହି ରଥ ବ୍ୟାପକ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ନିମୋନିଆ ହେଉଛି ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କର ମୃତ୍ୟୁର କାରଣମାନଙ୍କ ମଧ୍ୟରୁ ଏକ ପ୍ରମୁଖ କାରଣ । ବିଶେଷ କରି ଦୁଇ ବର୍ଷରୁ କମ୍ ବୟସର ପିଲାମାନେ ନିମୋନିଆରେ ଆକ୍ରାନ୍ତ ହୋଇଥାନ୍ତି । ନିମୋକୋକସ୍ ଜୀବାଣୁ ଦ୍ଵାରା ମସ୍ତିସ୍କରେ ହେଉଥିବା ସଂକ୍ରମଣ ଓ ନିମୋନିଆରୁ ସୁରକ୍ଷା ଦେବାରେ ପିସିଭି ଟୀକା ସାହାଯ୍ୟ କରିଥାଏ । ତେଣୁ ନିୟମିତ ଟୀକାକରଣ ସୂଚୀରେ ପିସିଭି ଟୀକାକୁ ସାମିଲ କରାଯାଇଛି । ପିଲାକୁ ଦେଢ ମାସ, ସାଢେ ତିନି ମାସ ଏବଂ ନଅ ମାସରେ ପିସିଭି ଟୀକା ଦିଆଯିବ । ସଚେତନତା ରଥ ବ୍ୟତିତ ଗ୍ରାମ୍ୟସ୍ତରରେ କୋଭିଡ ନିୟମ ପାଳନ ସହିତ ଆହୁରି ସଚେତନତା ମୂଳକ କାର୍ଯ୍ୟକ୍ରମମାନେ ଆୟୋଜନର ଯୋଜନା ରହିଛି ବୋଲି ଡାକ୍ତରଖାନା ତରଫରୁ ସୂଚନା ମିଳିଛି । ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ରାମ ଶଙ୍କର ତ୍ରିପାଠୀ, ଆୟୁଷ ଡାକ୍ତର ପ୍ରମୋଦ ମେହେର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ସ୍ଵାସ୍ଥ୍ୟକର୍ମୀ ଅମିତ ପଧାନ, ସତ୍ୟନାରାୟଣ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.