ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ପଦବୀ ପୂରଣ ଦିଗରେ ବହୁ ଦାବୀ ହୋଇ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଡାକ୍ତରଖାନା ଉପରେ ପଡୋଶୀ ବରଗଡ଼ ଜିଲ୍ଲା ପଦ୍ମପୁର ଓ କଣ୍ଟାବାଞ୍ଜି ଅଞ୍ଚଳରୁ ହଜାର ହଜାର ଲୋକ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଡାକ୍ତରଖାନାରେ ୩ଜଣ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଥିବା ବେଳେ ଦୁଇଜଣ ଡାକ୍ତର ଅସ୍ଥାୟୀ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଦୁଇ ଭେଷଜ ବିଶେଷଜ୍ଞ ମଧ୍ୟ ଅସ୍ଥାୟୀ ଭାବେ କାର୍ଯ୍ୟ କରିଥାନ୍ତି । ଦୀର୍ଘଦିନ ହେବ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡ଼ିଛି । ୧୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନାରେ ଦୁଇଜଣ ଡାକ୍ତର ସଦ୍ୟ ଏମ୍. ବି.ବି.ଏସ ଓ ଅବସରପ୍ରାପ୍ତ ଏମ୍. ବି.ବି.ଏସ ଡାକ୍ତରଖାନାକୁ ଚଲାଉଛନ୍ତି । ଡାକ୍ତରଖାନାଟି ଭଗବାନଙ୍କ ଭରଷାରେ ଚାଳିଛି । ଉପଖଣ୍ଡ ଡ଼ାକ୍ତରଖାନା ପ୍ରାୟ ୭୦ କିଲୋମିଟର ପରିଧି ମଧ୍ୟରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଥିବା କୈାଣସି ଡାକ୍ତରଖାନା ନଥିବା ଯୋଗୁଁ ଏହି ଡାକ୍ତରଖାନା ଉପରେ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଏପରି ଅବ୍ୟବସ୍ଥା ଦୂର କରିବା ସହ ତୃତୀୟ ଲହର କରୋନା ମହାମାରୀ ବିପତ୍ତିକୁ ଦୃଷ୍ଟି ରଖି ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ସ୍ଥାନ କରିବାକୁ ଦାବୀ ହେଉଛି । ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନରୁ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ଦିଗରେ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଆଗାମୀ ୭ ଦିନ ଧରି ଚାଲିବ ଏବଂ ପ୍ରାୟ ୧ ଲକ୍ଷ ସ୍ଵାକ୍ଷର ଥିବା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଭାପତି ସୁନୀଲ କୁମାର ସିଂ ପ୍ରକାଶ କରିଛନ୍ତି । ଟ୍ରଷ୍ଟର ଏପରି ଜନହିତକର ପ୍ରୟାସ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।