ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ହେବାକୁ ଥିବା ପବିତ୍ର ଜ୍ୟେଷ୍ଠପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ବିନା ଭକ୍ତରେ ପାରମ୍ପରୀକ ବିଧିରେ ସମ୍ପନ୍ନ ହେବ । କିନ୍ତୁ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ତେଣୁ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଏଥର ସ୍ନାନ ଯାତ୍ରା ବେଳେ ଛେରାପହଁରା ନୀତି କରିବେ । ଗତବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ । ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତିରୁ ଲାଗୁ ହେବ ୧୪୪ ଧାରା ଜାରୀ । ବୁଧବାର ରାତି ୧୦ଟାରୁ ୧୪୪ ଧାରା ଜାରୀ ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିଛି । ଆଦେଶ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ ୫ ଜଣ ଅତିରିକ୍ତ ଏସ୍ପି, ୨୩ ଡିଏସ୍ପି ଏବଂ ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ସୁରକ୍ଷା ଦୃଷ୍ଟିରୁ ସହରକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇଥିବା ବେଳେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।