ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦମ ପଡା ସ୍ଥିତ ୭ନଂ ସରକାରୀ ମଦ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୮ କାର୍ଟୁନ ମଦ ବୋହି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ତଦନ୍ତ ଜାରି ରଖିଛି । ଗତ କାଲି ମଦ ଦୋକାନରେ ନୂତନ ଗ୍ରିଲ ଲଗାଯାଇଥିଲା । ଆଜି ସକାଳୁ କୌଣସି କାରଣରୁ ଦୋକାନ ଖୋଲାଯିବା ବେଳେ ସଟର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଦୋକାନରୁ କୌଣସି ଟଙ୍କା ପଇସା ଚୋରି ହୋଇ ନଥିବା ବେଳେ କେବଳ ୪୮ କାର୍ଟୁନ ମଦ ଚୋରି ହୋଇଥିବା ଜଣା ପଡିଥିଲା । ଯାହାର ବଜାର ମୂଲ୍ୟ ପାଖାପାଖି ୪ଳକ୍ଷ ୮୦ ହଜାର ଟଙ୍କା ହେବ । କର୍ମଚାରୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପ୍ରାଥମିକ ଅନୁସନ୍ଧାନ କରି ସାଇଣ୍ଟିଫିକ ଟିମକୁ ତଦନ୍ତ ପାଇଁ ପଠାଇ ଥିଲେ । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରୁ କିଛି ନମୁନା ସଂଗ୍ରହ କରି ଫେରି ଅଧିକ ତଦନ୍ତ ଜାରୀ ରଖିଥିବା ସୂଚନା ରହିଛି ।