ଅପହଂଚ ଇଲାକାର ଅକୁହା କଥା

ହରିଚନ୍ଦନପୁର, (ପରେଶ କୁମାର ସେଠୀ) : ଗ୍ରାମାଞ୍ଚଳ ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୁର୍ଗମ ଅଂଚଳରେ ସରକାରୀ ସୁବିଧା ସୁଯୋଗ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ । ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା । ଗାଁରେ ପାନୀୟ ଜଳ ସୁବିଧା ବି ନାହିଁ । ରୋଗାଗ୍ରସ୍ତ ହେଲେ ଭଗବାନ ହିଁ ଭରସା । ସରକାରୀ ସୁବିଧା କହିଲେ ଅଳ୍ପ କେତୋଟି ରାଶନ କାର୍ଡ ଓ ବିଧବା ଭତା ଓ ବୃଦ୍ଧବୃଦ୍ଧାଙ୍କୁ ଭତା ମିଳୁଛି । ସୁବିଧା ବି ଏଠାରେ ସାତ ସପନ ହୋଇ ଅଭିଶପ୍ତ ଭାବେ ଦୀର୍ଘ ବର୍ଷ ହେବ କାଳ କାଟୁଛନ୍ତି ତୁରୁଙ୍ଗି ସାହିବାସୀ । ଏ ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ବଣ ପାହାଡ ଘେରା ତୁରୁଙ୍ଗି ସାହି । ସାହିକୁ ଯିବାକୁ ହେଲେ ୭କିମି ପାଦ ଚଲା ରାସ୍ତା ଅତିକ୍ରମ କରିବାକୁ ହୁଏ । ସାହିରେ ମୋଟ ୨୦ଟି ଜୁଆଙ୍ଗ ସମ୍ପ୍ରଦାୟର ପରିବାର ବସବାସ କରନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି । କିଛି ଲୋକଙ୍କୁ ଘର ମିଳିଥିଲେ ମଧ୍ୟ ପଞ୍ଚାୟତର ଅବହେଳା ଯୋଗୁଁ ତାହା ନିର୍ମାଣ ହୋଇ ପାରିନାହିଁ । ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ସମସ୍ତେ ଚେଇଁ ଶୋଇଛନ୍ତି । ସବୁଠାରୁ ଦୁଃଖର କଥା ହେଲା ସାହିକୁ ଯିବା ପାଇଁ ରାସ୍ତାଟିଏ ନାହିଁ , ଫଳରେ ପାହାଡ ଓ ନଇ ପାଣିରେ ପହଁରି ଯିବା ଆସିବା କରନ୍ତି ଲୋକେ । ବର୍ଷା ଦିନ ଆସିଲେ ଆହୁରି ଦୟନୀୟ ହୋଇଯାଏ ଲୋକଙ୍କ ଅବସ୍ଥା, ବାହ୍ୟ ଦୁନିଆରେ ଗ୍ରାମର ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଏ । ଏହି ସାହିରେ ଶିକ୍ଷା ବ୍ୟବସ୍ଥା କହିଲେ ନସରେ । ସାହିର ଛାତ୍ରଛାତ୍ରୀ ଆସ୍‌ପାଇର୍‌ ସ୍ଵଚ୍ଛାସେବୀ ଅନୁଷ୍ଠାନ ହିଁ ଭରସା । ସେହିପରି ପାଣି ମୁନ୍ଦାଏ ପାଇଁ ମଧ୍ୟ ବର୍ଷସାରା ନଦୀ ହିଁ ଏକମାତ୍ର ଭରସା । ଅପରିଷ୍କାର ପାଣି ପିଇ ବର୍ଷସାରା ଅଜଣା ରୋଗର ଶିକାର ହେଉଛନ୍ତି । ଉପଯୁକ୍ତ ଚିକିତ୍ସା ଅଭାବରୁ ଗ୍ରାମର ଅଧିକାଂଶ ପୁରୁଷ ଲୋକଙ୍କ କମ ବୟସରେ ହିଁ ମୃତ୍ୟୁ ଘଟୁଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରଷଙ୍କ ସଂଖ୍ୟା ଖୁବ କମ ରହିଛି । ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ସାହିର ରତନି ଜୁଆଙ୍ଗ, ରଇବାରି ଜୁଆଙ୍ଗ, ଦାସ ଜୁଆଙ୍ଗ, ମଙ୍ଗୁଳି ଜୁଆଙ୍ଗଙ୍କ ସମେତ ସାହିବାସୀ ମୌଳିକ ସୁବିଧା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.