jayashree

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ ଅଭିନବ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁଡ଼ା ପାଳନ ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ଅଭିବୃଦ୍ଧି ଓ ସଶକ୍ତିକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି । ଦେଶୀ ନାମରେ ନାମିତ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ଆଗ୍ରହୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଚିହ୍ନଟ କରି କ୍ଲଷ୍ଟର ମାଧ୍ୟମରେ ସେମାନଙ୍କୁ କୁକୁଡ଼ା ପାଳନ ନିମନ୍ତେ ଆବଶ୍ୟକୀୟ ଗୃହ ତିଆରି କରିବା ନିମନ୍ତେ ମନରେଗା ମାଧ୍ୟମରେ ସହାୟତା ଦିଆଯିବା ସହ ସେମାନଙ୍କର ୫୦ ଗୋଟି ୨୮ ଦିନିଆ ସୁସ୍ଥ କୁକୁଡ଼ା ଛୁଆ ପାଳନ ନିମନ୍ତେ ଦିଆଯାଉଛି । ଏଥିପାଇଁ ଏକ କୁକୁଡ଼ା ଚିଆଁ ଯୋଗାଣକାରୀ ସଂସ୍ଥା ସହ ଚୁକ୍ତି କରାଯାଇଛି । ବ୍ଲକ ପଶୁଧନ ନିରୀକ୍ଷକ ଓ ପଶୁ ଚିକିତ୍ସକଙ୍କ ଜରିଆରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯିବାକୁ ଥିବା ବେଳେ ପଶୁମିତ୍ରମାନେ ଏମାନଙ୍କୁ ସହଯୋଗ କରିବେ । ଅଢେଇ ମାସରୁ ୩ ମାସ ମଧ୍ୟରେ ଏହି କୁକୁଡ଼ା ଗୁଡିକ ବିକ୍ରୟ ଯୋଗ୍ୟ ହେବେ । ଚିଆଁ ଯୋଗାଇଥିବା ସଂସ୍ଥା ସମସ୍ତ ବିକ୍ରିଯୋଗ୍ୟ କୁକୁଡାକୁ କିଣିନେଇ ସଂଘକୁ ଅର୍ଥପୈଠ କରିବେ ବୋଲି ସୂଚନା ଦିଆଯାଇଛି । ଏହି ୩ ମାସ ମଧ୍ୟରେ କୁକୁଡ଼ା ଗୁଡିକ ଦେଉଥିବା ଅଣ୍ଡା ଓ କୁକୁଡା ବିକ୍ରି ଫଳରେ ମହିଳା ସଦସ୍ୟମାନେ ଲାଭକ୍ଷନ୍ବିତ ହେବେ ବୋଲି ସୂଚନା ମିଳିଛି । ଛତ୍ରପୁର ବ୍ଲକର ସୁନ୍ଦରପୁର ଗ୍ରାମପଞ୍ଚାୟତର ବଳରାମପୁର ଗ୍ରାମଠାରେ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚି ଏହି ସମ୍ପର୍କିତଏକ ସେମିନାର ଉଦଘାଟନୀରେ ଅଧ୍ୟକ୍ଷତା କରିଥିଲେ ଏବଂ ମହିଳା ସଂଘର ୧୦ ଜଣ ସଦସ୍ୟାଙ୍କୁ ଏହି ସହାୟତା ପ୍ରଦାନ କରିଥିଲେ । ସେହିପରି ଗଞ୍ଜାମ ବ୍ଲକର ସୁବଳୟା ଗ୍ରାମପଞ୍ଚାୟତର ଶତ୍ରୁଶୋଲା ଗ୍ରାମରେ ୨୫ଜଣ ସଦସ୍ୟଙ୍କୁ ୫୦ଟି ଲେଖାଏଁ ଚିଆଁ ସହ ପାଳନ କେନ୍ଦ୍ରକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଡିଆରଡିଏ ପିଡ଼ି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.