ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଗ୍ରାମ ପଞ୍ଚାୟତ ଅଧୀନ ପର୍ଶୁପାଲି ନିବାସୀ ଅବସରପ୍ରାପ୍ତ ସୈନିକ ନାରାୟଣ ନାୟକଙ୍କ ଧର୍ମପତ୍ନୀ ପଙ୍କଜିନୀ ନାୟକଙ୍କ ଆଜି ବଲାଙ୍ଗିର କିମ୍ସ୍ କୋଭିଡ଼ କେୟାର ସେଂଟର୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ମେରୁଦଣ୍ଡ ତଥା ସ୍ନାୟୁ ରୋଗରେ ପୀଡ଼ିତ ଥିବା ବେଳେ କୋଭିଡ଼୍ ଆକ୍ରାନ୍ତ ହେବା ପରେ ଘରେ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ବଲାଙ୍ଗିର କିମ୍ସ୍ କୋଭିଡ୍ କେୟାର୍ ସେଂଟର୍ରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ତିନି ଦିନ ଧରି ଚିକିତ୍ସିତ ହେବା ପରେ ଆଜି ପୂର୍ବାହ୍ନରେ ତାଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହେଉଥିଲା । ସେ ଜଣେ ମେଳାପୀ, ଧର୍ମପରାୟଣା ତଥା ପରୋପକାରୀ ମହିଳା ଭାବେ ଅଂଚଳରେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତା ପଙ୍କଜିନୀ ନାୟକ କବି, କଳାକାର ତଥା ସମାଜସେବୀ ମଧୁସୂଦନ ନାୟକଙ୍କ ଭାଉଜ ଅଟନ୍ତି ।