ସ୍ୱର୍ଗଦ୍ୱାର ସେବା ସଂଗଠନ ଦ୍ୱାରା କରୋନା ସଂକ୍ରମିତଙ୍କ ଶବ ସତ୍କାର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି ସ୍ୱର୍ଗଦ୍ୱାର ସେବା ସଂଗଠନ ଦ୍ୱାରା ଏକ କରୋନା ସଂକ୍ରମିତଙ୍କ ଶବସତ୍କାର କରାଯାଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଉତ୍କେଲା ପଞ୍ଚାୟତର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବିଡିଓ ପ୍ରଫୁଲ୍ଲ କୁମାର ସ୍ୱର୍ଗଦ୍ୱାର ସଂଗଠନକୁ ସୂଚନା ଦେଇଥିଲେ । ଉକ୍ତ ଶବ ସତ୍କାର ପାଇଁ କେହି ସହଯୋଗ କରୁନଥିବା କୁହାଯାଇଥିଲା ।
ତେବେ ସଂଗଠନର ମୂଖ୍ୟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ତାଙ୍କର ଟିମ୍‌କୁ ନେଇ ଉକ୍ତ ଗାଁରେ ପହଞ୍ଚି ଶବକୁ ସସମ୍ମାନେ ସତ୍କାର କରିଥିଲେ । ଏହାକୁ।ନେଇ ବିଡିଓ ସଂଗଠନର ଉଚ୍ଚ ପ୍ରଶ୍ଂସା କରିବା ସହ ବିପତ୍ତି ବେଳାରେ ସ୍ୱର୍ଗଦ୍ୱାର ସେବା ସଂଗଠନ ତାର ମାନବିକତା ପ୍ରଦର୍ଶନ କରିଛି ବୋଲି ମତ ପ୍ରକାଶ କରିଥିଲେ । ପ୍ରଶାସନ ତରଫରୁ ବିଡିଓ, ଅତିରିକ୍ତ ତହସିଲଦାର କେସିଙ୍ଗା ରୁଦ୍ରମୋହନ ନାୟକ, ସଦର ପୁଲିସର ଉପସ୍ଥିତିରେ ପ୍ରଶାସନ ପ୍ରଦତ୍ତ ପିପିଇ କିଟ୍ ପରିଧାନ କରି ସଂଗଠନର ସଦସ୍ୟ ମାନେ ଅତ୍ୟନ୍ତ ସୁରକ୍ଷିତ ଭାବରେ ଶବ ସତ୍କାର କରିଥିଲେ । ଏହାକୁ ନେଇ ସଂପୃକ୍ତ ମୃତକ ପରିବାର ସଂଗଠନ ପ୍ରତି ଅଶେଷ କୃତଜ୍ଞତା ଜଣାଇଛନ୍ତି ।
ଏହି ଟିମ୍‌ରେ ସଂଗଠନର ସଜନ କୁମାର ଅଗ୍ରୱାଲ, ମନୋଜ କୁମାର ଷଡ଼ଙ୍ଗୀ, ମିତ୍ରସେନ ଭୋଇ, ସରୋଜ ସାହୁ, ମୁଡିଙ୍ଗ ସରପଞ୍ଚ ଟଙ୍କଧର ନାୟକ, ସଂଜୀବ ନାୟକ ଓ ହେମନ୍ତ କୁମାର ସାମିଲ ହୋଇଥିଲେ । ପ୍ରକାଶ ଥାଉ କି, ନବଗଠିତ ଏହି ସଂଗଠନ ପକ୍ଷରୁ ଗତକିଛି ଦିନ ତଳେ ସାହାଜପାଟି ଗ୍ରାମର ଜଣେ କରୋନା ସଂକ୍ରମିତଙ୍କ ଶବକୁ ମଧ୍ୟ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.