oom

ବଣିକ ସଂଘ ପକ୍ଷରୁ ସ୍ପଷ୍ଟୀକରଣ : ବୁଧବାରରୁୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବଲାଙ୍ଗିର ବଣିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସ୍ଥାନୀୟ ଭମର ହୋଟେଲରେ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଠାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ନିଷ୍ପତ୍ତି ଉପରେ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା କାଲି ପରିବର୍ତ୍ତେ ଆସନ୍ତା ବୁଧବାର ଦିନଠାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତା କାଲି ସଂପୃକ୍ତ ନିଷ୍ପତ୍ତି ସଂପର୍କରେ ମାଇକ୍‌ ଯୋଗେ ପ୍ରଚାର ପ୍ରସାର କରାଯିବ ଏବଂ କରୋନାର ଭୟାବହ ସଂକ୍ରମଣ ଯୋଗୁଁ ଜୀବନ ଜୀବିକାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସଂଘ ପକ୍ଷରୁ ସଂପୃକ୍ତ ପ୍ରସ୍ତାବ ଦିଆଯିବା ନେଇ ମଧ୍ୟ ସୂଚନା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ମୁଖ୍ୟତଃ ସହରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଟିଟିଲାଗଡ଼, ପରେ ପାଟଣାଗଡ଼ ଓ ଗତକାଲି ଠାରୁ କଂଟାବାଂଜି ବଣିକ ସଂଘ ତରଫରୁ ସହର ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସହରରେ ବନ୍ଦକୁ ନେଇ ବଣିକ ସଂଘ ଉପରେ ଚାପ ସୃଷ୍ଟି ହୋଇଥିଲା । ବଣିକ ସଂଘ ବଲାଙ୍ଗିରର ଅନ୍ୟାନ୍ୟ ମୁଖ୍ୟ ସଂଘ ଗୁଡ଼ିକ ସହିତ ଆଜି ସଂଧ୍ୟାରେ ଆଲୋଚନା କରିବା ସହ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ଆସନ୍ତା ୧୦ ଦିନ ପାଇଁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା ।

jittmm
Leave A Reply

Your email address will not be published.