- ପୃଥ୍ୱୀରାଜ ହାଇସ୍କୁଲ ଷ୍ଟାଡିୟମ ପାଇଁ ଅଧିକ ଅନୁଦାନ ଦରକାର
- ବଲାଙ୍ଗିର ଓ ଦେଓଗାଁ ବ୍ଲକ ପାଇଁ ଦାବି କଲେ ଦୁଇଟି ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ସମୟରେ ମାନ୍ୟବର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳିର ଆହୁରି ବିକାଶ କରିବା ପାଇଁ କ୍ରୀଡା, ପର୍ଯ୍ୟଟନ, ସହର ମଧ୍ୟରେ ଥିବା ଜଳାଶୟ, ପୋଖରୀ ଏବଂ ବଲାଙ୍ଗିର ଓ ସଦର ବ୍ଲକରେ ୪ଟି ଲେଖାଏଁ କମ୍ୟୁନିଟି ସେଣ୍ଟର ଏବଂ ବଲାଙ୍ଗିର ବ୍ଲକର ଚନ୍ଦନଭାଟି, କୁଟୁମଡୋଲା ଓ ଦେଓଗାଁ ବ୍ଲକର ଲଣ୍ଡାପଥର ଏବଂ ଉପରଝର ଠାରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଳିବା ପାଇଁ ଦାବୀ ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ନିର୍ମାଣଧୀନ ସୁଦୃଶ୍ୟ ଗ୍ୟାଲେରି, କ୍ଲବ ହାଉସ ଏବଂ ସବୁଜ ପଡିଆ ନିର୍ମାଣ ଚାଲିଛି । ଏହାର ନିର୍ମାଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟି ଟଙ୍କାର ବ୍ୟୟ ହୋଇସାରିଥିବା ବେଳେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ୧ କୋଟି ଟଙ୍କା ଜରୁରି ପଡିଛି । ତେଣୁ ବିଧାୟକ ଶ୍ରୀ ମିଶ୍ର ସରକାରଙ୍କ ପ୍ରମୁଖ ସଚିବ, କ୍ରୀଡା ଏବଂ ଯୁବସେବା ବିଭାଗ ବିଶାଲ ଦେବଙ୍କୁ ଚିଠି ମାଧ୍ୟମରେ ଆଉ ୧ କୋଟି ଟଙ୍କା ଶୀଘ୍ର ପ୍ରଦାନ କରାଯିବାକୁ ଚିଠି ଲେଖିଛନ୍ତି । ଯେହେତୁ ବର୍ତ୍ତମାନ ଚାଲିଥିବା କାମର ଅନୁଦାନ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଦାନ କରାଯାଇଛି, ତେଣୁ ଦରକାର ହେଉଥିବା ୧ କୋଟି ଟଙ୍କା କ୍ରୀଡା ବିଭାଗ ଦେଉ ବୋଲି ଶ୍ରୀ ମିଶ୍ର ଚିଠି ମାଧ୍ୟମରେ ଜଣାଇଛନ୍ତି । ଆହୁରି ମଧ୍ୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ନ ଥିବାରୁ ସେମାନଙ୍କ ପାଇଁ ଫୁଟବଲ, କ୍ରିକେଟ, ହକି ଏବଂ ବାସ୍କେଟ୍ ବଲ୍ ଖେଳିବା ସକାଶେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ୨କୋଟି ଟଙ୍କା ଅନୁଦାନ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି । ଠିକ୍ ସେହିପରି ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଚିଠି ଲେଖି ବଲାଙ୍ଗିର ଓ ଦେଓଗାଁ ବ୍ଲକର ଲୋକଙ୍କ ଦାବୀ ମୁତାବକ ଚନ୍ଦନଭାଟି, କୁଟୁମଡୋଲା, ଲଣ୍ଡାପଥର, ଉପରଝରରେ ଗୋଟିଏ ଗୋଟିଏ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖେଳିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଜଣାଇଛନ୍ତି । ସହର ମଧ୍ୟରେ ଥିବା ୧୫ ଗୋଟି ବନ୍ଧ ପୋଖରୀର ସୌନ୍ଦର୍ଯ୍ୟକରଣ ତଥା ଜଳଧାରଣ କ୍ଷମତା ବଢାଇବା ପାଇଁ ୪୫ କୋଟି ଟଙ୍କାର ଅନୁଦାନ ଏ ବର୍ଷ ଦିଆଯାଉ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚିଠି ମାଧ୍ୟମରେ ଶ୍ରୀ ମିଶ୍ର ଜଣାଇଛନ୍ତି ଏବଂ ସେ ଆଶା କରୁଛନ୍ତି ଯେ ଚଳିତ ବର୍ଷ ବଜେଟରେ ଉପରୋକ୍ତ ପ୍ରକଳ୍ପମାନଙ୍କ ପାଇଁ ପାଣ୍ଠି ନିଶ୍ଚିତ ଆସିବ ଏବଂ ବଲାଙ୍ଗିରରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାମ ଆହୁରି ଶୀଘ୍ର ସମସ୍ତ ପ୍ରକଳ୍ପ ସମ୍ପୁର୍ଣ୍ଣ ହେବ ।