ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବାହ୍ନରେ ଗାନ୍ଧୀନଗରପଡ଼ା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ରାଜେନ୍ଦ୍ର ପାର୍କ ସ୍ଥିତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତି, କଚେରୀ ଛକ ସ୍ଥିତ ଡ.ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀଭବନ ନିକଟସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି, ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକରେ ଥିବା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ସମେତ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ଓଡ଼ିଶା ଦିବସ ପାଳନ ଉପଲକ୍ଷେ ସଂଧ୍ୟା ସମୟରେ ସ୍ଥାନୀୟ ଗାନ୍ଧୀଭବନ ପରିସରରେ ଅନୁଷ୍ଠିତ ସଭାରେ ଅତିଥି ମାନଙ୍କ ଦ୍ୱାରା ଉତ୍କଳ ପ୍ରଦେଶ ଗଠନର ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା ପ୍ରଦେଶ ଗଠନରେ ବରପୁତ୍ରମାନଙ୍କ ଯୋଗଦାନ ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଗତିମୂଳକ ଯୋଜନା ଓ କାର୍ଯ୍ୟକାରିତା ସଂପର୍କରେ ସୂଚନା ପ୍ରଦାନ କରିବା ସହ ଓଡ଼ିଶାର ପ୍ରଗତିରେ ସମସ୍ତଙ୍କ ସହଯୋଗିତା ଓ ସହଭାଗିତା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ ହିତକର ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ । ସଭାରେ ସଭାପତିତ୍ୱ କରି ଜିଲ୍ଲାପାଳ ଶ୍ରୀ ରାଣା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାମନିଷୀମାନଙ୍କ ଯୋଗଦାନ ସଂପର୍କରେ ଉଲ୍ଲେଖ କରିବା ସହ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରିଥିଲେ । ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଆଜିର ଦିବସ ଏକ ସ୍ମରଣୀୟ ଦିବସ ବୋଲି ମତ ଦେବା ସଂଗେ ସଂଗେ ଓଡ଼ିଶାର ମହାନ ପରମ୍ପରା ଓ ସଂସ୍କୃତି ସଂପର୍କରେ ମତ ଦେଇଥିଲେ । ସଭାରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ନନ୍ଦ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠଭୂମି ଓ ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ଦେଇଥିଲେ । ଓଡ଼ିଶା ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ପ୍ରଥମ ଆର୍ଯ୍ୟନ ରାଉତ, ଦ୍ୱିତୀୟ ପ୍ରତିଶ୍ରୁତି ନାୟକ ଓ ତୃତୀୟ ଶ୍ରେୟା ମିଶ୍ର ଏବଂ ଉତ୍କଳ ବନ୍ଦନା ଗାୟନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ପ୍ରଥମ ଆତ୍ମନ ତ୍ରିପାଠୀ, ଦ୍ୱିତୀୟ ଆର୍ଯ୍ୟାକୁମାରୀ ପୋଢ଼ ଓ ତୃତୀୟ ସମ୍ଭ୍ରାନ୍ତ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ଓ ଶେଷରେ ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସ୍ୱର ଝଙ୍କାର’ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ଓ ସଭା ଶେଷରେ ଉଦ୍‌ଯାପନୀ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ‘ସ୍ୱର ଝଙ୍କାର’ ଅନୁଷ୍ଠାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସଭା ସଂଚାଳନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.