jayashree

କାନ୍ଦୁଛି ପେଟ, ଠିକଣା ଖୋଜୁଛି ପାଠ

ସଇଁନ୍ତଲା, (ଅଜିତ୍‌ କୁମାର ସାହୁ) : ଶିଶୁ ହସିଲେ ଦେଶ ହସିବ ବୋଲି ସ୍ଲୋଗାନ ଦିଆଯାଉଛି । ଶିଶୁ ମାନଙ୍କ ବିକାଶ ସହିତ ଉପଯୁକ୍ତ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ସରକାରୀ ଯୋଜନା ପ୍ରହସନ ପାଲଟିଥିବା ଅନୁମାନ କରାଯାଉଛି । ଆସନ୍ତୁ ଦେଖିଦେବା ଏକ ଦୃଶ୍ୟପଟ୍ଟ ।

ପରିବାର ବୋଲି କିଛି ନ ଥିବା ବେଳେ ପେଟ ପାଇଁ ମୁଠାଏ ଯୋଗାଡ଼ କରିବାକୁ ଏମାନଙ୍କ ପାଇଁ କେହିନାହାନ୍ତି । ଅସହ୍ୟ ତାଳୁଫଟା ଖରା ଓ ଭୀଷଣ ତାତିରେ ଘୁରି ବୁଲୁଛନ୍ତି ଶିଶୁ । ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ କଡରେ ଥିବା ବିବିନାରେ ଏଭଳି ଅଭାବନୀୟ ଦୃଶ୍ୟ ସରକାରୀ ଯୋଜାନା ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ରାସ୍ତାକଡରେ ଥିବା ଆବର୍ଜନା ସ୍ଥଳରୁ ପ୍ଲାଷ୍ଟିକ ସାମଗ୍ରୀ ସହିତ ଅନ୍ୟାନ୍ୟ ଦ୍ରବ୍ୟ ପାଇଲେ ସଂଗ୍ରହ କରି ନେଉଛନ୍ତି । ପାଠ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଆଜିର ଶିଶୁ କାଲିର ଭବିଷ୍ୟତ ନାରା ଦେଇ ସରକାର କୋଟି କୋଟି ଟଙ୍କା ଶିଶୁ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବିକାଶ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟୟ କରୁଛନ୍ତି । କିନ୍ତୁ ଅନ୍ୟପଟେ ବେସାହାରା ହୋଇ ବୁଲୁଛନ୍ତି ଯାଯାବର ଶିଶୁ । ଦିନକୁ ଦିନ ଶିଶୁ ଶ୍ରମିକ ବଢି ଚାଲିଥିବା ବେଳେ ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ସହରର ହୋଟେଲ, ଦୋକାନ, ଚାଉଲ ଗୋଦାମରେ ଶିଶୁ ଶ୍ରମିକ ନିୟୋଜିତ ହେଉଛନ୍ତି । ନିଜ ପେଟ ପୋଷିବା ତଥା ପରିବାରର ଗୁଜୁରାଣ ମେନ୍‌ଟାଇବା ପାଇଁ ଶିଶୁମାନେ କାମ କରୁଛନ୍ତି । ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ସରକାର ଅଣ୍ଟା ଭିଡ଼ୁଥିବା ବେଳେ ଶିଶୁ ଶ୍ରମିକ ସଂଖ୍ୟା ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଶିଶୁମାନେ ରାସ୍ତା କଡରେ ବୁଲୁଥିବା ଦେଖି ଆମ ସଇଁନ୍ତଲା ପ୍ରତିନିଧି ତାଙ୍କ ସହ କଥା ହୋଇଥିଲେ । ସେମାନେ କହିଥିଲେ ଯେ, ସ୍କୁଲ ବନ୍ଦ ଥିବା ଯୋଗୁଁ ଆମେ ଛତିଶଗଡରୁ ଆସି ନିଜ ପରିବାରର ପୋଷଣ ପାଇଁ ଏଭଳି କାମ କରୁଛୁ । ତେବେ ସେମାନେ ପେଟ ପାଇଁ ଗାଁ ଗାଁ ବୁଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଛନ୍ତି । ଅନ୍ୟପଟେ ସେମାନେ ଫଟୋ ଉଠାଇବା ପାଇଁ ମଧ୍ୟ ମନା କରୁଥିଲେ । କାଳେ ପ୍ରଶାସନ ତାଙ୍କୁ ନେଇଯିବ ବୋଲି ସେମାନେ ଛାନିଆଁ ହୋଇଯାଇଥିଲେ ।

ତେବେ କୁହାଯାଏ, ଶିଶୁ ହିଁ ଈଶ୍ୱର । କିନ୍ତୁ ଏଠି ଈଶ୍ୱର ବି ଖୁବ୍‌ ଦୟନୀୟ । ଯାଯାବର ଶିଶୁ ମାନଙ୍କ ଦୟନୀୟ ଜୀବନ ସରକାରୀ ଯୋଜନାକୁ ଫମ୍ପା ସ୍ଲୋଗାନ ପରିଣତ କରୁଥିବା ଅଲୋଚନା ହେଉଛି । ସରକାରୀ ଯୋଜନାର ଏଭଳି ବିପର୍ଯ୍ୟସ୍ତ ବ୍ୟବସ୍ଥା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.