ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ଫାଇନାଲରେ କଟକ ବିଜୟୀ
ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ଫାଇନାଲରେ ଏହି ମ୍ୟାଚରେ ସୋନପୁର ସହ କଟକ ମଧ୍ୟରେ ଅନୁଷ୍ଠିତ ଏହି ମେଚରେ କଟକ ବିଜୟୀ ହୋଇଥିଲା । ଫାଇନାଲରେ କଟକ ଦଳ ୧ -୦ ଗୋଲ ବ୍ୟବଧାନରେ ସୋନପୁରକୁ ହରାଇ ଥିଲେ । ଫାଇନାଲରେ ଖେଳରେ ଅଂଶଗ୍ରହଣ କରିଥିବା ରନର ଦଳ ଓ ବିଜେତା ଦଳକୁ ଯଥାକ୍ରମେ ୨୨ ହଜାର ୨ଶହ ୨୨ଟଙ୍କା ଏବଂ ୩୩ ହଜାର ୩ଶହ ୩୩ ଟଙ୍କା ସହ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ଶ୍ରେଷ୍ଠ ଖେଳାଳି / ଦଳକୁ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇୟୁରୋ- ସ୍କୁଲ ଦ୍ୱାରା ପୃଷ୍ଠପୋଷକତାରେ ଏବଂ ଛତ୍ରପୁରର କ୍ରୀଡା ସାମାଜିକ ସଂଗଠନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ରୀଡା ସମାରୋହ ଗତ ୨୪ ତାରିଖରୁ ୨୭ ତାରିଖ ଯାଏଁ ସମାହିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସ୍ୱାଗତ ସମ୍ଭାଷଣ ଦେଇ କହିଥିଲେ ଯେ ଛତ୍ରପୁରରେ କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଧ୍ୟାନ ଦେଉଛନ୍ତି ଛତ୍ରପୁରରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ ହୋଇଛି ଏଠାରେ ହକି ଆଷ୍ଟ୍ରୋ ଟର୍ଫ ଓ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ ଆସିକା ଏମପି ପ୍ରମିଳା ବିଶୋଇ, ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ୟୁରୋ ସ୍କୁଲ ମୁଖ୍ୟ ରଞ୍ଜନ ମହାପାତ୍ର, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡି, ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ନଚିକେତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ହୋଇ ସମ୍ଭାଷଣ ଦେଇଥିଲେ । ବିଜୁ ସ୍ମାରକୀ କମିଟିର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଉପସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ନବୀନ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବି.ରାଜିବାବୁ, ସାଙ୍ଗଠନିକ (ସାଧାରଣ) ସମ୍ପାଦକ ଡି. ଗଣେଷ ରାଓ, ଏ. ରାବଣାରାଓ, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ବାଦଲ କୁମାର ପାଣ୍ଡି, ସିମା ଗୌଡ, ଏ. ଭେଙ୍କଟ ରାଓ ଦୋରା, ଅଜୟ ପରିଡାଙ୍କ ସମେତ ବିଜୁ ସ୍ମାରକୀ କମିଟିର ସମସ୍ତ ସଦସ୍ୟ ଓ ବହୁ କ୍ରୀଡାବିତ୍ ମାନେ ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ ।