ଅଲ୍‌ ଓଡିଶା ଇ.ପି.ଏଫ. ପେନସନର୍ସ ଆସୋସିଏସନ୍‌ର ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇ.ପି.ଏଫ.ପେନସନଧାରୀ ମାନଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସମସ୍ତଙ୍କୁ ବର୍ଦ୍ଧିତ ପେନସନ ଏବଂ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ଓ ସୁବିଧା ଯୋଗାଇବାକୁ ପେନସନଧାରୀ ମାନେ ଦାବୀ କରିଛନ୍ତି । ଏହା ସହିତ ପେନସନଧାରୀଙ୍କୁ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ ଦାବୀ ନେଇ ଏକ ବୃହତ୍ତର ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ଦାବୀ ସମୂହ ନେଇ କେନ୍ଦ୍ର ସରକାରଙ୍କୁ ଦାବୀ ପତ୍ର ଦିଆଯିବା ନିଷ୍ପତି ହୋଇଛି ।
ଅଲ୍‌ ଓଡିଶା ଇ.ପି.ଏଫ. ପେନସନର୍ସ ଆସୋସିଏସନର ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଆସିକା ନିକଟସ୍ଥ ମା’ କରଂଜେଇ ଠାକୁରାଣୀଙ୍କ ପୀଠରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପେନସନ୍‌ଧାରୀ ମାନଙ୍କ ସମସ୍ୟା ଓ ଦାବୀ ନେଇ ବ୍ୟାପକ ଆଲୋଚନା ପରେ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି।
ଆସୋସିଏସନ୍‌ର ଗଞ୍ଜାମ ଜିଲ୍ଲା ଶାଖା ସଭାପତି ପ୍ରତାପ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଆବାହକ ପ୍ରଶାନ୍ତ ଶତପଥୀ ଏହି ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ଓ ପେନସନଧାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିରେ ଆସୋସିଏସନ୍‌ର ରାଜ୍ୟ ସଭାପତି ରଞ୍ଜନ ଖୁଣ୍ଟିଆ, ସର୍ବଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଜୟ କୁମାର ଜେନା, କଳାହାଣ୍ଡି ଜିଲ୍ଲାର ସଭାପତି ବୈଦ୍ୟନାଥ ଦାଶ, ରାଜ୍ୟ ଯୁଗ୍ମ ସମ୍ପାଦକ ଶରତ କୁମାର ପାଣି ପ୍ରମୁଖ ଉଦବୋଧନ ଦେଇ ପେନସନ୍‌ଧାରୀମାନଙ୍କ ଦାବୀ ପୂରଣରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ସମାଲୋଚନା କରି ଦାବୀ ପୂରଣ ନିମନ୍ତେ ଏକ ବୃହତ ଆନ୍ଦୋଳନର ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ସମଗ୍ର ଗଞ୍ଜାମରୁ ୫ ଶହରୁ ଅଧିକ ପେନସନଧାରୀ ଯୋଗ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଶାଖା କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଏହି ସମ୍ମିଳନୀ ଅବସରରେ ଆସୋସିଏସନ୍‌ର ଗଞ୍ଜାମ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଜିଲ୍ଲା ଶାଖାକୁ ପ୍ରତାପ ଚନ୍ଦ୍ର ଶତପଥୀ ସଭାପତି, ସୀମାଞ୍ଚଳ ନାୟକ ଓ ବିପ୍ରଚରଣ ଜେନା -ଉପ ସଭାପତି, ପ୍ରଶାନ୍ତ କୁମାର ଶତପଥି – ସାଧାରଣ ସମ୍ପାଦକ, ସୀମାଞ୍ଚଳ ମହାନ୍ତି, ଗଜପତି ମହାନ୍ତି ଓ ଅମୂଲ୍ୟ କୁମାର ପଣ୍ଡା- ଯୁଗ୍ମ ସମ୍ପାଦକ, ଭଗବାନ ସାହୁ ଓ ପ୍ରଶାନ୍ତ କୁମାର ଦାଶ- ସାଙ୍ଗଠନିକ ସମ୍ପାଦକ, ପୂର୍ଣ୍ଣ ଚନ୍ଦ୍ର ଦାଶ- କୋଷାଧ୍ୟକ୍ଷଙ୍କ ସମେତ ୨୦ ଜଣ କାର୍ୟ୍ୟକାରୀ କମିଟି ସଭ୍ୟ ଭାବେ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.