କବି ତ୍ରିନାଥ ସିଂହ ପାଇଲେ ‘ଶବ୍ଦରାଗ କବିତା ସମ୍ମାନ’

ରାଉରକେଲା, (କେପିଏନ୍‌ଏସ୍‌) : ବାଲେଶ୍ୱର ସ୍ଥିତ ସୋର୍‌ଠାରେ ନିହାରକନ୍ୟା ସାହିତ୍ୟ ସଂସଦର ୨୩ତମ ବାର୍ଷିକୋତ୍ସବ ପାଳନ ଅବସରରେ ଗତ ୧୪ ତାରିଖ ଦିନ କବି ତ୍ରିନାଥ ସିଂହଙ୍କୁ ନିହାରକନ୍ୟା ଶବ୍ଦରାଗ କବିତା ସମ୍ମାନ-୨୦୨୧ରେ ସମ୍ବର୍ଦ୍ଦିତ କରାଯାଇଥିଲା । ସଂସଦ ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହରେ କବି ଶ୍ରୀ ସିଂହଙ୍କୁ ତାଙ୍କ ୩୫ ବର୍ଷ ବ୍ୟାପୀ ସାହିତ୍ୟ ସାଧନା ଏବଂ ସାମଗ୍ରିକ କୃତି ପାଇଁ ଏହି ସମ୍ମାନ ସହ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢେ଼øକନ ସହ ଶିଳ୍ପୀ ଚୂଡ଼ାମଣି ଦାସଙ୍କ ତୂଳୀ ଅଙ୍ଗିତ ରୂପଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ କବି ତ୍ରିନାଥ ଅସୁସ୍ଥତା ଯୋଗୁଁ ଏହି ସମାରୋହରେ ଯୋଗ ଦେଇ ପାରି ନଥିବାରୁ ତାଙ୍କ ତରଫରୁ ଓଡ଼ିଶାର ବିଶିଷ୍ଟ ଯୁବକବି ସଂଜିତ ବଳ ଶଙ୍ଖଧ୍ୱନି ମଧ୍ୟ ଏହି ସମ୍ମାନ ଗ୍ରହଣ କରିଥିଲେ ।

ସମଗ୍ର ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ କବି, ଗାଳ୍ପିକ ଓ ସାହିତ୍ୟିକଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ପିନାକୀ ମିଶ୍ର, ସୁରେଶ ନାୟକଙ୍କ ସମେତ ଅମିୟରଂଜନ ମହାପାତ୍ର, ସିତାଂଶୁ ଲେଙ୍କା, ସୁନୀଲ ମିଶ୍ର, ଚିତ୍ତରଂଜନ ନାୟକ, ସୁବ୍ରତ ଦାସ, କମଳ ମହାନ୍ତି, ହେମନ୍ତ ରାଉତ, ଶୁଭନାରାୟଣ ସ୍ୱାଇଁ, ତୁହିନାଂଶୁ ରଥ, ପଦ୍ମଜା ଶରଣ, ପବିତ୍ର ପାଣିଗ୍ରାହୀ, ପ୍ରବୀଣ କବି, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ବରିଷ୍ଠ କବି ଓ ଲେଖକମାନେ ଏଥିରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତଥା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ କବି ହୃଦାନନ୍ଦ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କବିତାର ମନ୍ତ୍ରମୟ ସଂଜିବନୀର ଅବତାରଣା କରି କବିତାମନସ୍କ ମାଟି ହିଁ ବିମଳ ଆତ୍ମୀୟତା ଅନୁରାଗରେ ସମସ୍ତଙ୍କୁ ବାନ୍ଧି ରଖିପାରେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପନ୍ୟାସ ପାଇଁ ସୁନୀଲ ମିଶ୍ର, ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ ସମେତ ଅମିୟ ରଂଜନ ମହାପାତ୍ର, ପ୍ରସନ୍ନ ସ୍ୱାଇଁ, ତୁହିନାଂଶୁ ରଥ, ଶୁଭଶ୍ରୀ ଲେଙ୍କା ଏବଂ କୁଳମଣି ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ସଂସଦର ସଭାପତି ଉମାକାନ୍ତ ପାତ୍ର, ସଂପାଦକ ସୁରଂଜନ ପାତ୍ର, ସହ ସଂପାଦକ ଜ୍ୟୋତିରଂଜନ ଜେନା ଓ ଅନ୍ୟ ସଦସ୍ୟମାନେ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମ ସୁସଂଯୋଜିତ ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.