ବୌଦ୍ଧ, (ବଂଶୀଧର ମାଝୀ) : ଉଦ୍ୟାନ କୃଷି ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ ଫଳ ବଗିଚା ପ୍ରକଳ୍ପ କରିବା ପାଇଁ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ଏହି ପ୍ରକଳ୍ପ ନାଁରେ ଚଞ୍ଚ କତାକରି ମିଥ୍ୟା କାଗଜପତ୍ର ଦର୍ଶାଇ ପ୍ରକୃତ ହିତାଧିକାରୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ଅନୁଦାନ ଅର୍ଥକୁ କିପରି ବିଭାଗୀୟ ଅଧିକାରୀ ମାନେ ହରିଲୁଟ କରି ମାଲାମାଲ ହେଉଛନ୍ତି ଏହାର ଅଭାବନୀୟ ଚିତ୍ର ସମ୍ନାକୁ ଆସିଛି ସବୁଠାରୁ ଅନଗ୍ରସର ଜିଲ୍ଲା ଭାବେ ପରିଗଣିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ପଞ୍ଚାୟତ ତମ୍ବାସିନା ଗ୍ରାମରେ । ଉଦ୍ୟାନ ବିଭାଗ ଦ୍ୱାରା ୨୦୧୮-୧୯ ଆର୍ଥିକ ବର୍ଷ ମନରେଗା ଯୋଜନାରେ ଏହି ଗ୍ରାମର ଗୁପ୍ତେଶ୍ବର ଭୋଇ ଏବଂ ଅନ୍ୟ ୬ଚାଷୀଙ୍କ ୫.୨ ହେକ୍ଟର ଜମିରେ ତା. ୭.୭.୨୦୧୮ ରିଖଠାରୁ ଆମ୍ବ ବଗିଚା ପ୍ରକଳ୍ପ କରାଯାଇଥିଲା । ବୌଦ୍ଧ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ଠାରୁ ଜମି ନେଇ ୩ ବର୍ଷର ରକ୍ଷଣା ବେକ୍ଷଣ ସହିତ ଚାଷ କରିବା ପାଇଁ ଉଦ୍ୟାନସାଥିଙ୍କ ମାଧ୍ୟମରେ ଚାରା ରୋପଣ କରାଯାଇଥିଲା । ଏଥିରେ ଶ୍ରମିକଙ୍କ ସହିତ ପ୍ରକଳ୍ପ ପାଇଁ ଆବଶ୍ୟକ ଖତ, ସାର, କୀଟନାଶକ ଔଷଧ ସହିତ ପାଣି ସିଞ୍ଚନ ବ୍ୟବସ୍ଥା ବାବଦକୁ ସର୍ଵମୋଟ ୨୩ଲକ୍ଷ ୭୬ ହଜାର ଟଙ୍କାର ଅଟକଳ ବ୍ୟୟ ମଞ୍ଜୁର ହୋଇ ଆସନ୍ତା ୭.୭.୨୦୨୧ ରିଖ ସୁଦ୍ଧା ଚାଷୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଧାରିତ ହୋଇଥିଲା । ତେବେ ୩ବର୍ଷ ପୁରିବାକୁ ଆଉ ମାତ୍ର ୪ମାସ ଅବଧି ଥିବାବେଳେ ବଗିଚାରେ ଗୋଟିଏ ଗଛ ନଥାଇ ବିଭିନ୍ନ ସମୟରେ ୧୩ଲକ୍ଷ ୨୦ହଜାର ୪୩୫ ଟଙ୍କା ଉଠାଣ ହୋଇଥିବା ବେଳେ ସିଂହ ଭାଗ ଅନୁଦାନ ଅର୍ଥ ଚଳୁ ହୋଇଥିବା ଭଳି ଚଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ସେଥିରେ ପ୍ରାରମ୍ଭରୁ ଶ୍ରମଦାନ କରିଥିବା ଶ୍ରମଜୀବି ମାନେ ମଧ୍ୟ ସେମାନଙ୍କ ପାରିଶ୍ରମିକ ପାଇନଥିବା ଅଭିଯୋଗ ହେଉଛି । ଆଦୌ ଗଛ ନଥାଇ ବି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ପାଇ ଗଣମାଧ୍ୟମ ପ୍ରତିନିଧି ଗ୍ରାଉଣ୍ତ ଜିରୋରେ ପହଞ୍ଚି ଅନୁସନ୍ଧାନ କରୁଥିବା ଜାଣି ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ଅଧିଆ ବଗିଚା ଭିତର ଜମିରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଘଟଣା ବିଷୟରେ ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଛନ୍ତି । ଚାଷୀମାନେ ମୁଗ, ବିରି, କୋଳଥ ଆଦି ଚାଷକରି ଯଥା କଥାରେ ଲାଭବାନ ହେଉଥିଲେ କିନ୍ତୁ ଆମ୍ବ ଚାରା ଲଗାଇ ଉଦ୍ୟାନ ବିଭାଗ ସେମାନଙ୍କୁ ସର୍ବସ୍ବାନ୍ତ କରିଥିବା ଅଭିଯୋଗ କରି ଏହାର ଉର୍ଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ଅସଲ ଗୁମର ଲୋକଲୋଚନକୁ ଆସି ପାରନ୍ତା ବୋଲି ଗୁପ୍ତେଶ୍ବର ଭୋଇ, ହେମନ୍ତ କମ୍ପ, ଅମ୍ବିକା ମହାଲିଙ୍ଗ, ଅଧିକ ବିଭାର, ଶିବ ନାଏକ ପ୍ରମୁଖ ଚାଷୀମାନେ କହିଛନ୍ତି ।