ବେଲଖଣ୍ଡିରେ ପାଳନ ହେଉଛି ମହାଶିବରାତ୍ରୀ : କୋଭିଡ କଟକଣା ହେତୁ ହେଉନାହିଁ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହିଛି ବେଲଖଣ୍ଡି ଧବଳେ‌ଶ୍ୱର ଶିବ ମନ୍ଦିର । କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନାହିିଁ ମେଳା । କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର, ସାଂସ୍କୃତିକ କାର୍ୟ୍ୟକ୍ରମ ତଥା ନାମଯଜ୍ଞର ଆୟୋଜନ କରାଯାଇନାହିଁ । କେବଳ ପାରମ୍ପାରିକ ରୀତିରେ ନୀତିକାନ୍ତି ମଧ୍ୟରେ ମହାପ୍ରଭୁ ଧବଳେଶ୍ୱରଙ୍କର ମହାଶିବରାତ୍ରୀ ପୂଜା ଅର୍ଚ୍ଚନା ହେଉଥିବା ଦେଖିବାକୁ ମିଳିଛି ।

ତେବେ ଅଷ୍ଟମ-ନବମ ଶତାଦ୍ଦୀର ଏଇ ଶୈବପୀଠ ଠାରେ କାହିଁ ଆଦି ଅନାଦି କାଳରୁ ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇ ଆସୁଥିଲା । ପ୍ରାୟ ଏକ ସପ୍ତାହ ଧରି ଏଠାରେ ମେଳା ଜମୁଥିଲା । ବିଭିନ୍ନ ମନୋହାରୀ ଦୋକାନ ସମେତ ମୀନାବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମରେ ଚଳଚଂଚଳ ହୋଇପଡୁଥିଲା ଧବଳେଶ୍ୱର ପୀଠ । ଅପେରା, ସଂକୀର୍ତନରେ କଂପୁଥିଲା ଅଂଚଳ । କେବଳ କଳାହାଣ୍ଡି ନୁହଁ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ବରଗଡ ସମେତ ଛତିଶଗଡ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସୁଥିଲେ ମେଳା ଦେଖିବା ପାଇଁ । ଶିବରାତ୍ରୀ ଦିନ ଭୋର ସମୟରୁ ସନ୍ଧ୍ୟା ଯାଏ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲମ୍ବା ଧାଡି ଲାଗି ରହୁଥିଲା । ଏଇ ଯାତ୍ରାରୁ ସ୍ଥାନୀୟ ଅଂଚଳର ଲୋକେ ବାହାଘର ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ କିଣାବିକା ବି କରୁଥିଲେ । ଏଥର କିନ୍ତୁ ଖାଁ ଖାଁ ଲାଗୁଛି ପରିବେଶ । ଏପରି ସ୍ଥିତି କେବେ ଦେଖି ନ ଥିଲୁ ବୋଲି କହୁଛନ୍ତି ବୟସ୍କ ବ୍ୟକ୍ତି ମାନେ । ତେବେ କଟକଣାକୁ ସମ୍ମାନ ଜଣାଇ କେବଳ ପୂଜାବିଧି ନୀତି ନିୟମ ଅନୁଯାଇ ହେବ ବୋଲି ସୂଚନା ଦେଇଛନ୍ତି ପୂଜା କମିଟି । ଏ ନେଇ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ଯାତ୍ରା ପରିଚାଳନା କମିଟି ସଭାପତି ବେଲଦାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ତହସିଲଦାର ଗଣ୍ଡାରାମ ଖମାରୀ, କେସିଙ୍ଗା ଥାନାଧିକାରୀଙ୍କ ସମେତ କମିଟି ସଂପାଦକ ସୁଶାନ୍ତ ବାଗ, ସଦସ୍ୟ ଆର୍ତତ୍ରାଣ ସିଂ, ଅକ୍ଷୟ କୁମାର ଭୋଇ, ଚକାମନ ନାଏକ, ଦିଲ୍ଲୀପ କୁମାର ବୋରା, ସରପଂଚ ଝସନେତ୍ରି ଭୋଇ ଉପସ୍ଥିତ ଥିଲେ । ଜାଗର ଦିନ ଭକ୍ତମାନେ ସାମାଜିକ ଦୂରତା, ମାକ୍ସ ବ୍ୟବହାର ଓ ସାନିଟାଇଜର ବ୍ୟବହାର କରିବେ ବୋଲି ନିଷ୍ପତି ନିଆ ଯାଇଥିଲା । ତେବେ ପାରମ୍ପରିକ ରୀତିରେ ସିଦ୍ଦେଶ୍ୱରୀ(ଚଣ୍ଡୀ)ଙ୍କ ଠାରେ ବଳି ଦିଆଯିବ ବୋଲି ସ୍ଥିର ହୋଇଛି । ଭକ୍ତମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଦି ଥିବା ଦେଖି ବାକୁ ମିଳିଥିବା ବେଳେ ଶତାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.