jayashree

ଧଳପୁର-ଆଠମଲ୍ଲିକ ନିର୍ମାଣଧୀନ ମହାନଦୀ ସେତୁ ପାଲଟିଛି ମରଣଯନ୍ତା : ଗଡୁଛି ମୁଣ୍ଡ

ବୌଦ୍ଧ, (ବଂଶୀଧର ମାଝୀ) : ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେକ ଜାହାଙ୍ଗିର(୨୩) ନାମକ ଜଣେ ଶ୍ରମିକ ଆଠମଲ୍ଲିକ ପଟେ ସେତୁ ଉପରୁ ରବିବାର ପଡିଯିବାରୁ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ସନ୍ଧ୍ୟା ତାଙ୍କର ମୃତ୍ୟୁ ହୋଇଥିବା ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ସ୍ପଷ୍ଟ କରିଛନ୍ତି । ବିପଦ ସଙ୍କୁଳ ସ୍ଥାନରେ କାମ କରୁଥିବା ଶ୍ରମିକମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଶ୍ରମ ଆଇନରେ ବହୁ କଡାକଡି ନୀତି ନିୟମ ରହିଛି । ହେଲେ ଏତେସବୁ ବ୍ୟବ‌ସ୍ଥା ଥିବା ସତ୍ତ୍ୱେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ ଚୂଡାନ୍ତ ପର୍ୟ୍ୟାୟ କାମ ଚାଲିଥିବା ବେଳେ ଅସୁରକ୍ଷିତ ବ୍ୟବସ୍ଥା ଯୋଗୁଁ ସେତୁ ଉପରୁ ଖସି ଜଣେ ପରେ ଜଣେ ବାହାର ରାଜ୍ୟର ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରିଛି । ତେବେ ଏହି ଦୁର୍ଘଟଣା ଯୋଗୁଁ ମୁଣ୍ଡରେ ଗୁରୁତର ଆଘାତ ପାଇଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ଘଟଣା ସ୍ଥଳରୁ ମାତ୍ର ୩କିମି ଦୂରରେ ଥିବା ଆଠମଲ୍ଲିକ ସବ ଡିଭିଜନାଲ ହସ୍ପିଟାଲକୁ ନନେଇ ସେଠାରୁ ପ୍ରାୟ ୪୫ କିମି ଦୂରରେ ଥିବା ବୌଦ୍ଧ ହସ୍ପିଟାଲକୁ ନେବା ପଛରେ କି କାରଣ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପ୍ରକାଶ ଥାଉକି ଗତ ୪ତାରିଖ ରାତି ସାଢେ ୯ଟା ସମୟରେ ଏହି ସେତୁ ଉପରୁ ପ୍ରାୟ ୪୦ଫୁଟ ତଳକୁ ଖସି ପଶ୍ଚିମବଙ୍ଗ ମଲଦା ଜିଲ୍ଲା ପୂର୍ବ ସଇଦୁର ଗ୍ରାମର ସମୀର ଘୋଷ(୨୦) ନାମକ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲେ । ଘଟଣାର ୪୮ଘଣ୍ଟା ନପୁରୁଣୁ ଆଉଜଣେ ଶ୍ରମିକ ସେତୁ ଉପରୁ ଖସି ମୃତ୍ୟୁ ମୁଖରେ ପଡିବା ଘଟଣା ଶ୍ରମ ବିଭାଗର କାର୍ୟ୍ୟଶୈଳୀ ଓ ଠିକାସଂସ୍ଥାର ବେପରୁଆ ମନୋଭାବ ଉପରେ ସ୍ପଷ୍ଟ ଆଙ୍ଗୁଳି ନିର୍ଦେଶ କରୁଛି । କେବଳ ଏତିକି ନୁହଁ ଗତ ଜାନୁଆରୀ ମାସ ୧୬ତାରିଖରେ ସମାନ ଢଙ୍ଗରେ ସେତୁ ଉପରୁ ପଡି ଝାଡ଼ଖଣ୍ଡ ରାଜ୍ୟ ଲାତେହାର ଜିଲ୍ଲା କେନରୁ ଗ୍ରାମର ମନୁ ଗୁଞ୍ଜୁ(୩୦) ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ନିରୀହ ଶ୍ରମିକଙ୍କ ଜୀବନ ଚାଲିଯାଉଥିବା ସତ୍ତ୍ୱେ ସେତୁ ଉପରେ ରହି କାମ କରୁଥିବା ଶ୍ରମିକଙ୍କୁ କାହିଁକି ସେପ୍ଟି ବେଲ୍ଟ ଓ ହ୍ୟାଲମେଟ ଯୋଗାଇ ଦେବା ସହ ତଳେ ସେପ୍ଟିନେଟ ଲଗାଯାଇନଥିଲା ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦାୟିତ୍ୱରେ ଅବହେଳା କରିଥିବା ସେପ୍ଟି ମ୍ୟାନେଜରଙ୍କ ବିରୁଦ୍ଧରେ କୋଠର କାର୍ୟ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଦୁର୍ଘଟଣା ସମ୍ପର୍କରେ ମତାମତ ନେବା ପାଇଁ ଠିକାସଂସ୍ଥାର କର୍ମକର୍ତ୍ତାଙ୍କୁ ଫୋନ ଯୋଗେ ଯୋଗାଯୋଗ ପ୍ରୟାସ କରାଯାଇଥିଲେ ମଧ୍ୟ ଫୋନ ରିସିଭ କରିନଥିଲେ । ଏସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନଙ୍କୁ ପଚାରିବାରୁ ହଁ ଆଜି ଆଠମଲ୍ଲିକ ପାର୍ଶ୍ଵରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧିନ ଥାଇ ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଥିବା ସେ ସୂଚନା ପାଇଛନ୍ତି ବୋଲି କହିବା ସହ ମୃତ ଶ୍ରମିକର ଶବ ବ୍ୟବଚ୍ଛେଦ କରାଯାଇ ଅଣାଯିବା ପରେ ତାକୁ ତାଙ୍କ ଗ୍ରାମକୁ ପଠାଇବା ବ୍ୟବସ୍ଥା କରାଯିବ ଓ ନିୟମ ଅନୁଯାୟୀ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାହେବ ବୋଲି କହିଛନ୍ତି । ମାତ୍ର ମୃତକଙ୍କ ନାମକୁ ବାଦଦେଲେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଓ ଠିକଣାକୁ ବିଭିନ୍ନ ଆଳ ଦେଖାଇ କେହି ମୁହଁ ଖୋଲୁ ନଥିବାରୁ ଏହା ପଛରେ କି ଉଦ୍ଧେଶ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.