ପିଇବା ପାଣି ଟିକିଏ ପାଇବା ପାଇଁ ଡହକ ବିକଳ ପଡ଼ାବାସୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉଛି । ଆଜି ଟିଟିଲାଗଡ ସହର ସ୍ଥିତ ୧୧ ନମ୍ବର ୱାର୍ଡର ଶତାଧିକ ମହିଳା ପାନୀୟ ଜଳ ପାଇଁ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ପନ୍ଦର ଦିନ ଧରି ପାନୀୟ ଜଳ ଯୋଗାଣ ହୋଇ ନ ଥିବାରୁ ଆଜି ମହିଳାମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ମହିଳା ମାନେ ବାଲ୍ଟି, ଗରିଆ, ପାଣି ଡବା ଧରି ପ୍ରଥମେ ସକାଳ ୬ ଟା ସମୟରୁ ୧୧ ଟା ସମୟ ପର୍ୟ୍ୟନ୍ତ ନିଜ ପଡ଼ାର ମୁଖ୍ୟ ରାସ୍ତା ଅବରୋଧ କରି ବସିଥିଲେ । କିନ୍ତୁ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ନ ମିଳିବା ପରେ ଟିଟିଲାଗଡ଼ ରେଳୱେ ଷ୍ଟେସନ ରୋଡ଼ ସହ ପୌର ପରିଷଦ ରୋଡ଼କୁ ଅବରୋଧ କରିଥିଲେ । ଶିରଭଟା ପଡ଼ାରେ ନଳକୂପ, କୂପ କିମ୍ବା ପାନୀୟ ଜଳର କୌଣସି ବ୍ୟବସ୍ଥା ନ ଥିବାରୁ ପ୍ରାୟ ୩୦୦୦ ଜଣ ପଡ଼ାବାସୀ କେବଳ ଜଳ ଯୋଗାଣ ବିଭାଗ ଉପରେ ନିର୍ଭର କରି ଚଳୁଥିବା ବେଳେ ୧୫ ଦିନ ହେଲା ପାଣି ନ ଆସିଥିବାରୁ ଘରେ ପିଇବା ପାଇଁ ବୁନ୍ଦାଏ ପାଣି ନାହିଁ ବୋଲି ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଟିଟିଲାଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ଜେଇ ମିହିର କାନ୍ତ ମହାନ୍ତି ଆସି ବିକ୍ଷୋଭକାରୀ ମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାମାନେ ପ୍ରତିଦିନ ଘଂଟାଏ ଲେଖା ପାଣି ଦେବା ପାଇଁ ଜିଦ ଧରି ବସିଥିଲେ । ଦୀର୍ଘ ସମୟ ଧରି ବିଭାଗୀୟ ଜେଇଙ୍କୁ ଅଟକ ରଖି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ । ସେପଟେ ପ୍ରତିଦିନ ପାଇପ ଯୋଗେ ପାଣି ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ଜେଇ କହିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଜେଇ ବିଭାଗର ବିଭିନ୍ନ ସମସ୍ୟା ସମ୍ପର୍କରେ ବିକ୍ଷୋଭକାରୀଙ୍କୁ କହିବ ସତ୍ୱେ ପାଣି ପାଇ ହନ୍ତସନ୍ତ ହେଉଥିବା ମହିଳା ମାନେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଚେତାବନୀ ଦେଇଥିଲେ । ଜେଇ ଶ୍ରୀ ମହାନ୍ତି ପଡ଼ାବାସୀଙ୍କ ସହ ୱାର୍ଡ ନଂ ୧୧କୁ ଯାଇ ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ଯଥା ଶୀଘ୍ର କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.