ମହାପ୍ରୟାଣ ଫେଲ : ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଚିକିତ୍ସାଳୟ ବାରଣ୍ଡାରେ ପଡ଼ିରହିଲା ମୃତକଙ୍କ ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିନେବା ଘଟଣା ଦେଶ ବିଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏପରି ଘଟଣାର ପୁନରାବୃତ୍ତି ଯେପରି ନଘଟେ ସେଥିପାଇଁ ରାଜ୍ୟସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଗାଡି । ମାତ୍ର ଏହି ଯୋଜନା ବରଗଡ଼ ଜିଲ୍ଲାରେ ଫେଲ ମାରିଛି । ମୃତ ଦେହ ନେବାକୁ ନା ମିଳିଲା ମହାପ୍ରୟାଣ ଗାଡି ନା ମିଳିଲା ଘରୋଇ ଆମ୍ବୁଲାନ୍ସ । ଦୀର୍ଘ ୬ଘଣ୍ଟାରୁ ଅଧିକ ସମୟ ଚିକିତ୍ସାଳୟ ବାରଣ୍ଡାରେ ପଡ଼ିରହିଲା ମୃତକଙ୍କ ଶବ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ପାଇକମାଲ ସରେଇକେଲା ଅଞ୍ଚଳରୁ ଗରିବ ବାପ ଛେଉଣ୍ଡ ଭଉଣୀର ଚିକତ୍ସା କରାଇବା ପାଇଁ ଆସିଥିଲେ ଭାଇ କୈବଲ ପଟେଲ । କୌଣସି କାରଣରୁ ଗତକାଲି ରାତି ୮ଟା ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ଘରକୁ ନେବାକୁ ବାହାରିଥିଲା ଏକାକୀ ଭାଇ ଜଣକ । କିନ୍ତୁ ତାକୁ କୌଣସି ଆଡୁ କିଛି ସହଯୋଗ ମିଳିନଥିଲା । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ ମାତ୍ର ମହାପ୍ରୟାଣ ଗାଡି ଦୀର୍ଘ ଗୋଟିଏ ମାସରୁ ଅଧିକ ହେବ ଅଚଳ ହୋଇ ପଡ଼ିଥିବାରୁ ଘରୋଇ ଗାଡି ଉପରେ ଭରସା କରିବାକୁ ପଡୁଛି କିନ୍ତୁ ରାତ୍ରି ସମୟରେ ପ୍ରାଇଭେଟ ଗାଡି ସରେଇକେଲା ଶବ ନେଇ ଯିବାକୁ ୮ରୁ ୧୦ହଜାର ଟଙ୍କା ନେବାକୁ ଦାବୀ କରିଥିଲେ । ଗରୀବ ଲୋକ ଟିଏ ଏତେ ଟଙ୍କା କୁଆଡୁ ପାଇବ । ଶେଷରେ ନିରୁପାୟ ହୋଇ ଚିକତ୍ସାଲୟ ବାରଣ୍ଡାରେ ଭଉଣୀର ଶବକୁ ଧରି ବାହୁଡ଼ି ବାହୁଡ଼ି କାନ୍ଦୁଥାଏ ଭାଇ । ପରେ ସଂକଲ୍ପ ପରିବାର ସାହାଯ୍ୟରେ ମୃତ ଶବକୁ ତାର ଗନ୍ତବ୍ୟ ସ୍ଥଳକୁ ନେବାକୁ ବ୍ୟବସ୍ଥା କରାଯାଇଥିଲା । ଲୋକଙ୍କୁ ସୁଲଭ ମୂଲ୍ୟରେ ଚିକତ୍ସା ଯୋଗାଇ ଦେବାକୁ ସରକାର କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ଏ ସବୁ ଦେଖିଲାପରେ ମନେହୁଏ ସବୁ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି । ସାଧାରଣ ଗରିବ ଲୋକମାନଙ୍କ ପାଇଁ ଏହା କେବଳ ଦିବାସ୍ୱପ୍ନ ସାଜିଛି । ଜିଲ୍ଲା ପ୍ରଶାସନକୁ ଲୋକମାନେ ଅନୁରୋଧ କରିଛ‌ନ୍ତି ଯେ, ତୁରନ୍ତ ମହାପ୍ରୟାଣ ଗାଡିକୁ ଠିକ କରାଯାଉ ଓ କାର୍ୟ୍ୟରେ ଲଗାଯାଉ । ଏପରି ଘଟଣାର ଯେପରି ଭବିଷ୍ୟତରେ ପୁନରାବୃତ୍ତି ନଘଟୁ ।

Leave A Reply

Your email address will not be published.