ଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ : ବେଆଇନ ଭାବେ ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ସ୍କୁଲ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି ବୋଲି ଅଭିଭାବକ ମହାସଂଘର ରାଜ୍ୟ ସହ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା ସଂଯୋଜକ ଚକ୍ରପାଣୀ ମିଶ୍ର ଓ ସହ ସଂଯୋଜକ ଫିରୋଜ ସାହୁ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’କୁ ନେଇ ମାନ୍ୟବର ହାଇକୋର୍ଟଙ୍କ ସମ୍ମୁଖରେ ଏକ ପିଟିସନ ଦାୟର କରାଯାଇଥିଲା । ମାନ୍ୟବର ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଛାତ୍ର ଅନୁପାତ ହାରରେ ଫି’ ରିହାତି, ଟିଉସନ ଫି’, ଅକ୍ସିଲେରି ଫି’ ତଥା ରିଆଡମିଶନ ଆଦି ଫି’ ଛାଡ ନେଇ ଏକ ଦିଶା ନିର୍ଦ୍ଦେଶ ଜାରି କରିଥିଲେ । ରାଜ୍ୟ ସରକାର ଏ ଦିଗରେ ଏକ ଗାଇଡଲାଇନ ପ୍ରସ୍ତୁତ କରି ସମସ୍ତ ସ୍କୁଲକୁ ପ୍ରଦାନ କରି ସ୍କୁଲ ମାନଙ୍କରେ ଏହି ନିୟମ କାର୍ୟ୍ୟକାରୀ କରିବା ପାଇଁ କହିଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏ ସଂକ୍ରାନ୍ତୀୟ ଏକ ନୋଟିସ ଜିଲ୍ଲାର ସମସ୍ତ ସ୍କୁଲକୁ ପ୍ରଦାନ କରାଯାଇଥିଲା । କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ଯେ, ଜିଲ୍ଲାର ଅଗ୍ରଣୀ ସ୍କୁଲ ଲିଟିଲ ଫ୍ଲାୱାର ସମେତ ଅନ୍ୟାନ୍ୟ ଇଂରାଜୀ ମିଡିଅମ ସ୍କୁଲ ମାନେ ଖୋଲାଖୋଲି ମାନ୍ୟବର ହାଇର୍କୋଟ ତଥା ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛନ୍ତି । ଇଂରାଜୀ ମିଡିଅମ ସ୍କୁଲ ଗୁଡିକ ନିର୍ଦ୍ଦେଶାନୁସାରେ ସ୍କୁଲ ଫି’ ଛାଡ ଅଥବା ରିହାତି କରିବା ଦୂରେ ଥାଉ, ଅଭିଭାବକମାନଙ୍କ ଠାରୁ ଜୋର୍‌ ଜବରଦସ୍ତ ସ୍କୁଲ ଫି’ ଆଦାୟ କରି ବେନାମୀ ରସିଦ ପ୍ରଦାନ କରୁଛନ୍ତି । ସେହି ରସିଦରେ ନା ସ୍କୁଲର ନାଁ ରହୁଛି, ନା କୌଣସି ସରକାରୀ ପଞ୍ଜିକରଣ ନଂବର । ଯାହା ସଂପୁର୍ଣ୍ଣ ରୂପେ ବେଆଇନ । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏ ବିଷୟରେ ଅଭିଯୋଗ କରାଗଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ସହରର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକ ଶୋଷଣର ଶିକାର ହେଉଛନ୍ତି । ଅଭିଭାବକ ମହାସଂଘ ଏହାର ବିରୋଧ କଲେ ଓଲଟା ଆଦର୍ଶ ପୋଲିସ ମହାସଂଘର ଆବାହକଙ୍କୁ ଧମକ ଚମକ ଦେବା ସହ ଏ ସଂକ୍ରାନ୍ତୀୟ ତଥ୍ୟ ମେଂଟାଇ ଦେଉଛି ବୋଲି ମହାସଂଘ ଅଭିଯୋଗ କରିବା ସହ ଲିଟିଲ ଫ୍ଲାୱାର ସ୍କୁଲ ଦ୍ୱାରା ପ୍ରଦତ୍ତ ଏକ ରସିଦର ନକଲ ପ୍ରଦାନ କରିଛନ୍ତି । ଏହି ରସିଦରେ ସ୍କୁଲର ନାମ ନଥିବା ବେଳେ ଏôଥରେ କୌଣସି ସରକାରୀ ପଞ୍ଜିକରଣ ନଂବର ନଥିବା ସ୍ପଷ୍ଟ ଜଣା ପଡୁଛି । ସ୍କୁଲ ପ୍ରନ୍ସିପାଲଙ୍କୁ ଏ ବିଷୟରେ ପଚରା ଯିବାରୁ ଫୋନରେ ଏହାର କୌଣସି ଉତ୍ତର ଦିଆ ଯାଇ ପାରିବ ନାହିଁ, ଅନେକ ଲୋକେ ସ୍କୁଲକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତକାଲି ଲିଟିଲ ଫ୍ଲାୱାର ସ୍କୁଲରେ ନବମ ଶ୍ରେଣୀର ଏଡମିସନ କରାଯିବା ସହ ବହି ବିକ୍ରୀ କରାଯାଉଥିଲା । ଖବର ପାଇ ଅଭିଭାବକ ମହାସଂଘର ଜିଲ୍ଲା ସଂଯୋଜକ ଚକ୍ରପାଣୀ ମିଶ୍ର ସ୍କୁଲକୁ ପହଞ୍ଚି ସ୍କୁଲର ବେଆଇନ କାର୍ୟ୍ୟକ୍ରମକୁ ବିରୋଧ କରିଥିଲେ । ସ୍କୁଲର ବେଆଇନ କାର୍ୟ୍ୟକଳାପର ତଥ୍ୟ ରଖିବା ପାଇଁ ମୋବାଇଲରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ସ୍କୁଲ କର୍ତ୍ତୁପକ୍ଷ ତାଙ୍କୁ ବାରଣ କରିବା ସହ ସ୍କୁଲକୁ ପୋଲିସ ଡକାଇଥିଲେ । ପୋଲିସ ସ୍କୁଲରେ ପହଞ୍ଚିବା ପରେ ସ୍କୁଲର ବେଆଇନ କାର୍ୟ୍ୟକଳାପକୁ ରୋକିବା ପରିବର୍ତ୍ତେ ଶ୍ରୀ ମିଶ୍ରଙ୍କ ମୋବାଇଲ ଜବତ କରି ମୋବାଇଲରୁ ସମସ୍ତ ଭିଡିଓ ଡିଲିଟ୍‌ କରିବା ସହ ଶ୍ରୀ ମିଶ୍ରଙ୍କୁ ଏପରି କାର୍ୟ୍ୟରୁ ବିରତ ରହିବାକୁ ତାଗିଦ କରଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ତେବେ ଆଦର୍ଶ ପୋଲିସ ଏ ସଂକ୍ରାନ୍ତୀୟ କୌଣସି ଖବର ନଥିବା ପ୍ରକାଶ କରିଛି ।

\

Leave A Reply

Your email address will not be published.