
କେସିଙ୍ଗା, (ପ୍ରୀତେଶ ପଟେଲ) : ବାଲ୍ସିସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ପରିସରରେ ବ୍ଲକ୍ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ଶକ୍ତି ସଂରକ୍ଷଣ ଉପରେ ପ୍ରଦର୍ଶନୀ ଓ ମେଳା ବ୍ଲକ ବିଜ୍ଞାନ ଫୋରମ୍ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ସଭାପତିତ୍ୱରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେସିଙ୍ଗା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବିଜ୍ଞାନଭିତ୍ତିକ ସମୁଦାୟ ୭୫ ଗୋଟି ପ୍ରକଳ୍ପ ଓ ନୂତନ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ। କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଆଚାରୀ ଶବର ମୁଖ୍ୟ ଅତିଥି ଏହାକୁ ଉଦ୍ଘାଟନ କରିଥିଲେ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପତି ଛୁରା ଓ ବିଦ୍ୟାଳୟ ପରିଚାଳନା ସଭାପତି ବିନୋଦ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଚାରକ ମଣ୍ଡଳୀରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ, ବିଜ୍ଞାନ ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ, ତରୁଣ କାନ୍ତି ମିଶ୍ର ଓ ହେମନ୍ତ କୁମାର ସାହୁ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଉଦ୍ଯାପନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା, ଆଚାରୀ ଶବର ମୁଖ୍ୟ ଅତିଥି, କେସିଙ୍ଗା ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ରିଡର୍, ରାଜେଶ ଅଗ୍ରୱାଲ, ମୁଖ୍ୟବକ୍ତା ଏବଂ ଓଷ୍ଟାର ରାଜ୍ୟ ସଭାପତି ପ୍ରଭାତ ରଥ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମ୍ପତି ଛୁରା, ସନ୍ତୋଷ ରଥ ଓ ହେମାନନ୍ଦ ବରିହା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିବାବେଳେ ଅଭୟ କୁମାର ଦେବତା ସଭାପତିତ୍ୱ କରିଥିଲେ । ଏହି ଅବସରରେ ବରିଷ୍ଠ ବିଭାଗରେ କୃତିତ୍ୱ ହାସଲ କରିଥିବା ଲମ୍ବୋଦର ଗୋପାଲ୍, ପି.ଏମ୍. ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା, ଏଞ୍ଜେଲ ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ, ଚାଞ୍ଚେର, ବୈଷ୍ଣବୀ ନାଏକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଓ ବିନୋଦିନୀ ଭୋଇ, ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ, ପାଷ୍ଟିକୁଡ଼ି ଓ କନିଷ୍ଠ ବିଭାଗରେ ଆରାଧ୍ୟା ଦାଶ, ଘାସିରାମ ଦୋରା ଉଚ୍ଚ ବିଦ୍ୟାଳୟ, ବେଲଖଣ୍ଡି, ଭେଙ୍କଟ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗାଇଗାଁ, ଚନ୍ଦ୍ରକାନ୍ତି ବିଭାର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମଶାଣିମୁଣ୍ଡା ଏବଂ ଶକ୍ତି ସଂରକ୍ଷଣ ବିଭାଗର କୃତୀ ପ୍ରତିଯୋଗୀ ହିସାବରେ ସିଦ୍ଧାର୍ଥ ଗୌତମ ବାଗ, ଚାଚା ନେହେରୁ ଉଚ୍ଚ ବିଦ୍ୟାଳୟ, ଉତ୍କେଲା, ଲାବଣ୍ୟ ନାଗ, ସରକାରୀ ଉଚ୍ଚ ବିଦ୍ୟାଳୟ,ସିରୋଲ, ପ୍ରମିତା ଶବର, ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଦ୍ୟାଳୟ, ପାଷ୍ଟିକୁଡ଼ି ଓ ପିଙ୍କୁ ରଣା, ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପ୍ରଥମ, ଦ୍ଵିତୀୟ ଓ ତୃତୀୟ କୃତୀ ପ୍ରତିଯୋଗୀ ରୂପେ ପୁରସ୍କୃତ କରାଯାଇଥିଲା । ଅତିଥିମାନେ ନିଜ ବକ୍ତବ୍ୟରେ ବିଜ୍ଞାନ ଶିକ୍ଷାର ପ୍ରସାର, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ମନସ୍କତା, ନୂତନ ଉଦ୍ଭାବନ ଓ ଶକ୍ତିର ସୁବିନିଯୋଗ ସମ୍ପର୍କରେ ଆଲୋକପାତ କରି ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ ଓ ପ୍ରାୟୋଗିକ ଜ୍ଞାନର ବିକାଶରେ ସହାୟକ ହେବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ କରିଥିଲେ । ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟିତ୍ରୀ, ବିଜ୍ଞାନ ଶିକ୍ଷକ/ ଶିକ୍ଷୟିତ୍ରୀ, ଜବାହାର ଉଚ୍ଚ ବିଦ୍ୟାପୀଠ, ବାଲିସିର ସମସ୍ତ କର୍ମଚାରୀ ଓ କେସିଙ୍ଗା ବ୍ଲକ ବିଜ୍ଞାନ ମଞ୍ଚର ସମସ୍ତ ସଦସ୍ୟମାନଙ୍କର ସମ୍ମିଳିତ ପ୍ରୟାସ ଯୋଗୁଁ ସଫଳତାର ସହ ଆୟୋଜିତ ହୋଇପାରିଥିଲା ।