jayashree

ଛଅ ବର୍ଷ ହେଲା ଅଧାପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର : ଝାଟିମାଟି ଘରେ ଭବିଷ୍ୟତ ଗଢ଼ୁଛନ୍ତି କୁନିକୁନି ଶିଶୁ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କେଉଁଠି ଗଛମୂଳେ ତ ଆଉ କେଉଁଠି ଲୋକଙ୍କ ଘର ପିଣ୍ଡାରେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର । ଆଉ କେଉଁଠି ଝାଟିମାଟି ଘରେ ପାଠ ପଢ଼ୁଛନ୍ତି କୁନିକୁନି ଶିଶୁ । ସରକାର ଶିଶୁଙ୍କ ଶିକ୍ଷା, ପୁଷ୍ଟି ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର ଚିତ୍ର କିନ୍ତୁ ଭିନ୍ନ । ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ସରୁକୁଇ ଗ୍ରାମରୁ । ସୂଚନା ଅନୁସାରେ, ସରୁକୁଇ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଅର୍ଥ ମଞ୍ଜୁର ହୋଇଥିଲା । ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଜକୁ ପ୍ରାୟ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିନାହିଁ । କେବଳ ଭିତ୍ତିଭୂମି ନିର୍ମାଣ କରି ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦିଆଯାଇଛି । ଦୀର୍ଘ ବର୍ଷ ଧରି ଏହି ଅଧାଗଢ଼ା ଘରଟି ପ୍ରଶାସନିକ ଅବହେଳାର ନିରବ ସାକ୍ଷୀ ହୋଇରହିଛି । ଏପଟେ ନିଜସ୍ୱ ଅଙ୍ଗନବାଡ଼ି ଗୃହ ନଥିବାରୁ ଛୋଟ ଛୋଟ ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ନାନା ସମସ୍ୟା ଦେଖାଦେଇଛି । ପ୍ରଥମେ ଗଛମୂଳେ ଓ ଗ୍ରାମବାସୀଙ୍କ ଘର ବାରଣ୍ଡାରେ କେନ୍ଦ୍ର ଚାଲୁଥିଲା । ଶିଶୁମାନଙ୍କ ଅସୁବିଧାକୁ ଦେଖି ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ ଏକ ଝାଟିମାଟି ଘର ନିର୍ମାଣ କରିଛନ୍ତି । ବର୍ତ୍ତମାନ ସେହି ଅସ୍ଥାୟୀ ଘରେ ପିଲାଙ୍କୁ ଶିକ୍ଷାଦାନ କରାଯିବା ସହ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି । ଯେଉଁଠି ଶିଶୁଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ପରିବେଶ ରହିବା କଥା, ସେଠାରେ ଅତି ସାଧାରଣ ଝାଟିମାଟି ଘର ହିଁ ଏବେ ଏକମାତ୍ର ଭରସା ପାଲଟିଛି । ଅନ୍ୟପଟେ ସରୁକୁଇ ଗ୍ରାମର ଭୌଗୋଳିକ ସ୍ଥିତି ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି । କୁଟିକିଆ ପଞ୍ଚାୟତଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିଲେ ମଧ୍ୟ ପାହାଡ଼ ଉପରେ ଅବସ୍ଥିତ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ରାସ୍ତା ସଂଯୋଗ ହୋଇପାରିନାହିଁ । ଫଳରେ ସରକାରୀ ଅଧିକାରୀଙ୍କ ଯାତାୟାତ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏନେଇ ଅଙ୍ଗନବାଡ଼ି କର୍ମୀ କହିଛନ୍ତି ଯେ, କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ବାଧ୍ୟ ହୋଇ ଝାଟିମାଟି ଘରେ ପିଲାଙ୍କୁ ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡ଼ୁଛି । ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇବା ସହ ପଞ୍ଚାୟତ ବୈଠକରେ ମଧ୍ୟ ବାରମ୍ବାର ଅଭିଯୋଗ କରାଯାଇଛି । ତଥାପି ଏଯାଏଁ କୌଣସି ସୁଫଳ ମିଳିନାହିଁ । ସେହିପରି କୁଟିକିଆ ସମିତି ସଭ୍ୟ ଦୟାନିଧି ମଲ୍ଲିକ କହିଛନ୍ତି ଯେ, ସେ ସରପଞ୍ଚ ଥିବା ସମୟରେ ସରୁକୁଇ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ସରକାରୀ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା । କିନ୍ତୁ ବ୍ଲକ ପ୍ରଶାସନ ଓ ସହକାରୀ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ଛଅ ବର୍ଷ ଧରି କେନ୍ଦ୍ରର ଘର କେବଳ ଭିତ୍ତିଭୂମିରେ ସୀମିତ ରହିଛି ଏବଂ ଶିଶୁମାନେ ଝାଟିମାଟି ଘରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏ ସମ୍ପର୍କରେ ସିଡିପିଓ ଇନ୍ଦିରା ପଣ୍ଡାଙ୍କୁ ପଚାରିବାରୁ ସେ ଏହି ଅଙ୍ଗନବାଡ଼ି କେନ୍ଦ୍ର ସମ୍ପର୍କରେ ଅବଗତ ନଥିବା କହିବା ସହ ସୁପରଭାଇଜରଙ୍କୁ ପଚାରି ବୁଝିବା ପରେ ତଥ୍ୟ ଦେବେ ବୋଲି କହିଛନ୍ତି । ତେବେ ଦୀର୍ଘ ଛଅ ବର୍ଷ ଧରି ଏକ ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ ହୋଇ ପଡ଼ିରହିବା ଏବଂ ଗ୍ରାମବାସୀ ନିଜ ଉଦ୍ୟମରେ ଝାଟିମାଟି ଘର ନିର୍ମାଣ କରି ପିଲାଙ୍କ ପାଠପଢ଼ା ଓ ରୋଷେଇ ବ୍ୟବସ୍ଥା କରିବା ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ମଞ୍ଜୁର ଅର୍ଥ କେଉଁଠି ଓ କିପରି ବିନିଯୋଗ ହେଲା, ନିର୍ମାଣ କାର୍ଯ୍ୟ କାହିଁକି ଅଟକି ରହିଛି ଏବଂ ଏଥିପାଇଁ ଦାୟୀ କିଏ, ତାହାର ତଦନ୍ତ କରିବା ସହ ତୁରନ୍ତ ଅଧାଗଢ଼ା ଅଙ୍ଗନବାଡ଼ି ଗୃହକୁ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ପ୍ରଶ୍ନ ଉଠୁଛି, ଶିଶୁଙ୍କ ବିକାଶ ପାଇଁ ଆସୁଥିବା ଯୋଜନାର ସୁଫଳ ଯଦି ଏକ ପାହାଡ଼ିଆ ଗାଁର ପିଲାଙ୍କ ପାଖରେ ପହଞ୍ଚିପାରୁନାହିଁ, ତେବେ ଏହି ଅବହେଳା ପାଇଁ ଉତ୍ତରଦାୟୀ କିଏ ?

Leave A Reply

Your email address will not be published.