
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ମନସ୍କତା, ସୃଜନଶୀଳ ଚିନ୍ତାଧାରା ଓ ନବସୃଜନ କ୍ଷମତାର ବିକାଶ ଲକ୍ଷ୍ୟରେ ବାଲିଗୁଡ଼ା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷର ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ‘ଏକ ନିରନ୍ତର ଏବଂ ବିକଶିତ ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ’ ରଖାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ପଦ୍ମଲୋଚନ ପଣ୍ଡା ଏବଂ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୟାନିଧି ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଏଭଳି ବୈଜ୍ଞାନିକ ପ୍ରୟାସକୁ ଉତ୍ସାହିତ କରିଥିଲେ । ପ୍ରଦର୍ଶନୀରେ ବାଲିଗୁଡ଼ା ବ୍ଲକ୍ର ମୋଟ ୫୧ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ପକ୍ଷରୁ ୯୭ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ନିଜ ନିଜର ପ୍ରକଳ୍ପ ମାଧ୍ୟମରେ ବିଜ୍ଞାନର ବିଭିନ୍ନ ଦିଗ, ନୂତନ ଚିନ୍ତାଧାରା ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତାକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ମୋଟ ୭ଟି ଉପ-ଥିମ୍କୁ ଆଧାର କରି ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଉପ-ଥିମ୍ରୁ ଗୋଟିଏ ଲେଖାଏଁ, ମୋଟ ୭ଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରାଯାଇଥିଲା । ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକରେ ସୀମିତ ନରଖି ନିଜସ୍ୱ ଚିନ୍ତାଧାରାରୁ ନୂତନ ପ୍ରକଳ୍ପ ତିଆରି କରିବା ଏବଂ ନିଜର ଦକ୍ଷତାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା । ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀମାନେ ଖୁସି ଓ ଉତ୍ସାହ ପ୍ରକାଶ କରିଥିବା ସହ ଏଭଳି କାର୍ଯ୍ୟକ୍ରମ ସେମାନଙ୍କ ଭବିଷ୍ୟତରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ ପାଇଛି ।