jayashree

ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

  • ମୌଳିକ କର୍ତ୍ତବ୍ୟ ପାଳନ ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ – ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ମହାବିଦ୍ୟାଳୟ, ବଲାଙ୍ଗିର ପକ୍ଷରୁ ଆଜି ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଭାରତୀୟ ସମ୍ବିଧାନର ମହତ୍ତ୍ୱ, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ବଲାଙ୍ଗିରର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ (OAS-I, JB) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚେୟାରମ୍ୟାନ୍ ସିଏ ଶ୍ରୀକାନ୍ତ ଶର୍ମା, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ, ଉପାଧ୍ୟକ୍ଷା ଶ୍ରୀମତୀ ଏ.ବି. ରାମ ଲିପ୍ସା ଏବଂ ପ୍ରଶାସନିକ ଅଧିକାରୀ ଶୈଳେଶ କୁମାର ପାଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ରାଜନୀତି ବିଜ୍ଞାନ ଅଧ୍ୟାପକ ସଞ୍ଜୀବ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଭାରତୀୟ ସମ୍ବିଧାନର ଗୁରୁତ୍ୱ ଓ ଗଣତନ୍ତ୍ରର ସୁରକ୍ଷାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଛାତ୍ରୀ ସୁମିତ୍ରା ଭଞ୍ଜ ମଧ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ ସମ୍ବିଧାନର ମହତ୍ତ୍ୱ ଓ ଏହାର ଆଦର୍ଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନର ମୂଲ୍ୟବୋଧକୁ ବୁଝିବା ସହ ନିଜ ଜୀବନରେ ତାହାକୁ ପାଳନ କରିବା ଏବଂ ଜଣେ ସଚେତନ, ଶୃଙ୍ଖଳିତ ଓ ଦାୟିତ୍ୱବାନ ନାଗରିକ ହେବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ଧାରା ୫୧(କ)ରେ ଉଲ୍ଲେଖିତ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ବିଧାନ ପ୍ରତି ସମ୍ମାନ, ଦେଶର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତାର ସୁରକ୍ଷା, ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ, ପରିବେଶ ସୁରକ୍ଷା, ବୈଜ୍ଞାନିକ ମନୋଭାବର ବିକାଶ ଏବଂ ସାମାଜିକ ସଦ୍ଭାବନା ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଦାୟିତ୍ୱ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, କେବଳ ସରକାରଙ୍କ ଉପରେ ସମସ୍ତ ଦାୟିତ୍ୱ ଛାଡ଼ିଦେଲେ ଏକ ସୁସ୍ଥ, ଶୃଙ୍ଖଳିତ ଓ ବିକଶିତ ସମାଜ ଗଠନ ସମ୍ଭବ ନୁହେଁ । ପ୍ରତ୍ୟେକ ନାଗରିକ ନିଜ ପରିବାର, ସମାଜ ଓ ଦେଶପ୍ରତି ଥିବା କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ । ଅନ୍ୟର ଅଧିକାରକୁ ସମ୍ମାନ ଦେବା, ଆଇନ ପାଳନ କରିବା ଓ ସାମାଜିକ ଶୃଙ୍ଖଳା ବଜାୟ ରଖିବା ହିଁ ପ୍ରକୃତ ନାଗରିକତାର ପରିଚୟ ବୋଲି ସେ ମତପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ଦେଶପ୍ରେମ, ନାଗରିକ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଶେଷରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Leave A Reply

Your email address will not be published.