jayashree

ପିଆଇବି ଓ ସିବିସି, ଭୁବନେଶ୍ୱର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଆଜି ଜାତୀୟ ସମ୍ବିଧାନ ଦିବସ-୨୦୨୬ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ସାମୂହିକ ଭାବେ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ସିବିସିର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ମୂଳ ଆଦର୍ଶ ତଥା ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସମ୍ବିଧାନରେ ଉଲ୍ଲେଖିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ମୂଲ୍ୟବୋଧକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ବରିଷ୍ଠ ଆକାଉଣ୍ଟସ୍ ଅଧିକାରୀ ଶ୍ରୀ ବୀରେନ୍ଦ୍ର ମୋହନ ପଣ୍ଡା ମଧ୍ୟ ଏହି ଅବସରରେ ନିଜର ମତ ରଖିଥିଲେ। ସମ୍ବିଧାନ ପ୍ରତି ସମ୍ମାନବୋଧ ରଖିବା ସହ ଏହାର ମୂଳ ନୀତି ଓ ଆଦର୍ଶକୁ କାର୍ଯ୍ୟକ୍ଷେତ୍ର ତଥା ସାମାଜିକ ଜୀବନରେ ପ୍ରତିଫଳିତ କରିବାର ଆବଶ୍ୟକତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର ବିଭାଗୀୟ କଳାକାର ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ମାଧ୍ୟମରେ ସମ୍ବିଧାନର ଆଦର୍ଶ, ମୂଲ୍ୟବୋଧ ଓ ନାଗରିକ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା।

ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ଗଣତାନ୍ତ୍ରିକ ଚେତନା ଏବଂ ନିଜର ମୌଳିକ କର୍ତ୍ତବ୍ୟ ପ୍ରତି ସଚେତନତା ବୃଦ୍ଧି କରିବା।

Leave A Reply

Your email address will not be published.