
- ବଲାଙ୍ଗିରରୁ ବିଜାଖମନ୍ ପର୍ଯ୍ୟନ୍ତ ରାସ୍ତାରେ ଖାଲଖମା, ଯାତାୟାତରେ ବଢୁଛି ଦୁର୍ଦ୍ଦଶା
ବଲାଙ୍ଗିର, (କେପିଏନ୍ଏସ୍) : ଜାତୀୟ ରାଜପଥରେ ଯାତ୍ରା ହେବ ସୁଗମ ଓ ସୁରକ୍ଷିତ । ହେଲେ ବଲାଙ୍ଗିର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ଅବସ୍ଥା ଏବେ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବଲାଙ୍ଗିର ସହରଠାରୁ ବିଜାଖମନ୍ ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଛି ଅନେକ ବଡ଼ ବଡ଼ ଖାଲଖମା । କେଉଁଠି ରାସ୍ତା ମଝିରେ ଗର୍ତ୍ତ ତ ଆଉ କେଉଁଠି ଭାଙ୍ଗି ପଡ଼ିଛି ରାସ୍ତାର ପାର୍ଶ୍ୱ । ଏପରିକି ରାସ୍ତାକଡ଼ରେ ଲାଗିଥିବା ବିଭାଗୀୟ ସୂଚନା ଫଳକଗୁଡ଼ିକ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହନ ଓ ଯାତ୍ରୀ ଯାତାୟାତ କରୁଛନ୍ତି । ହେଲେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗାଡ଼ିଚାଳକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ବିଶେଷକରି ରାତି ସମୟରେ ଖାଲଖମା ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଛି । ଯାତାୟାତ ସମୟରେ ଯାନବାହନ କ୍ଷତିଗ୍ରସ୍ତ ହେବା ସହ ଯାତ୍ରୀମାନେ ମଧ୍ୟ ହଇରାଣ ହେଉଛନ୍ତି । ଜାତୀୟ ରାଜପଥର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତାର ମରାମତି ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଜାତୀୟ ରାଜପଥ ୨୬ର ବଲାଙ୍ଗିରରୁ ବିଜାଖମନ୍ ପର୍ଯ୍ୟନ୍ତ ରାସ୍ତାର ମରାମତି, ଭାଙ୍ଗିଯାଇଥିବା ପାର୍ଶ୍ୱର ପୁନଃନିର୍ମାଣ ଏବଂ ସୂଚନା ଫଳକଗୁଡ଼ିକର ମରାମତି ପାଇଁ ଦାବି ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବଲାଙ୍ଗିରବାସୀ ଚେତାବନୀ ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ କେବେ ଏହି ରାସ୍ତାର ମରାମତି କରିବ ?