jayashree

ମୃତ୍ୟୁ ପରେ ବି ଅନ୍ୟର ଜୀବନରେ ଆଲୋକ ଭରିବେ ସାରଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୃତ୍ୟୁ ପରେ ବି ଅନ୍ୟର ଜୀବନରେ ଆଲୋକ ଭରିବାର ମହତ୍ କାର୍ଯ୍ୟ କରି ଅମର ହୋଇ ରହିଲେ ପଦ୍ମପୁରର ସାହୁପଡ଼ା ନିବାସୀ ଧର୍ମପରାୟଣା ମହିଳା ସାରଦା ସାହୁ । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ବେଳେ ମୃତ୍ୟୁ ପରେ ପରିବାର ପକ୍ଷରୁ ତାଙ୍କର ଚକ୍ଷୁଦାନ କରାଯାଇଛି । ତାଙ୍କର ଏହି ମହତ୍ ଦାନ ଦୁଇ ଜଣ ଦୃଷ୍ଟିହୀନଙ୍କ ଜୀବନରେ ନୂତନ ଆଶାର ଆଲୋକ ଭରିବାର ସମ୍ଭାବନା ସୃଷ୍ଟି କରିଛି । ସ୍ୱର୍ଗତ କେଶବ ସାହୁଙ୍କ (ପ୍ରେମାନନ୍ଦ) ଧର୍ମପତ୍ନୀ ସାରଦା ସାହୁ ଅଞ୍ଚଳରେ ଜଣେ ଅତ୍ୟନ୍ତ ଧର୍ମପରାୟଣା, ଶାନ୍ତଶିଷ୍ଟ ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ। ଜୀବନର ଦୀର୍ଘ ୮୩ ବର୍ଷ ମଧ୍ୟରେ ସେ ଧର୍ମକର୍ମ, ଆଧ୍ୟାତ୍ମିକ ଚିନ୍ତାଧାରା ଓ ମାନବସେବାକୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିଲେ। ଗତ ରାତିରେ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ଦେହାନ୍ତ ହେବା ପରେ ପରିବାର, ଆତ୍ମୀୟସ୍ୱଜନ ଓ ସମଗ୍ର ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରିୟଜନଙ୍କ ବିୟୋଗରେ ଗଭୀର ଦୁଃଖରେ ଥିବା ସତ୍ତ୍ୱେ ପରିବାରବର୍ଗ ଯେଉଁ ମହତ୍ ନିଷ୍ପତ୍ତି ନେଇଥିଲେ, ତାହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛି। ଅନ୍ତିମ ସତ୍କାର ପୂର୍ବରୁ ତାଙ୍କର ଚକ୍ଷୁଦାନ କରାଯାଇଥିଲା। ପରିବାରର ଏହି ମାନବିକ ପଦକ୍ଷେପକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଚକ୍ଷୁଦାନ ଭଳି ମହତ୍ କାର୍ଯ୍ୟ ଦ୍ୱାରା ଅନ୍ୟମାନଙ୍କ ଜୀବନରେ ଆଲୋକ ଫେରାଇ ଆଣିବାର ଏହି ପ୍ରୟାସ ନିଶ୍ଚିତ ଭାବେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନି ପୁତ୍ର ଧର୍ମେନ୍ଦ୍ର, ଠାକୁର ପ୍ରସାଦ ଓ ଲକ୍ଷ୍ମୀଧର, ଦୁଇ କନ୍ୟା ପଦ୍ମଜା ଓ ଗାୟତ୍ରୀଙ୍କ ସମେତ ତିନି ପୁତ୍ରବଧୂ, ଜ୍ୱାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।। ତାଙ୍କର ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସକାଳ ୭ଟା ସମୟରେ ପଦ୍ମପୁର ସ୍ଥିତ ଲକ୍ଷ୍ମୀନାରାୟଣ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ଦ୍ୱିତୀୟ ପୁତ୍ର ଠାକୁର ପ୍ରସାଦ ମୁଖାଗ୍ନି ଦେଇଥିଲେ। ମଣିଷ ମୃତ୍ୟୁ ପରେ ମଧ୍ୟ ନିଜର ମହତ୍ କର୍ମ ଦ୍ୱାରା ଅନ୍ୟର ଜୀବନରେ ବଞ୍ଚି ରହିପାରେ, ସାରଦା ସାହୁଙ୍କ ଚକ୍ଷୁଦାନ ଓ ତାଙ୍କ ପରିବାରର ଏହି ମହତ୍ ନିଷ୍ପତ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ।

Leave A Reply

Your email address will not be published.