
- ମହିଳା ମହାବିଦ୍ୟାଳୟ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଗାଡ଼ି ଚାଳକ ଫେରାର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ପାଟଣାଗଡ଼ର ବିଜୁ ମେହେର ଏବଂ ଟିଟିଲାଗଡ଼ର ପ୍ରକାଶ ଚନ୍ଦ୍ର ସିଂଭୋଇ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଛକ ନିକଟରେ ଦୁଇଜଣ ବାଇକ୍ରେ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଧକ୍କାରେ ଗୁରୁତର ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବଲାଙ୍ଗିର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଗାଡ଼ି ଓ ଚାଳକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।