jayashree

କାନ୍ଥ ଖୋଳି ଜୁଏଲେରୀ ଦୋକାନରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଅଳଙ୍କାର ଲୁଟ୍‌ ଆନ୍ତଃରାଜ୍ୟ ଗ୍ୟାଙ୍ଗର ଜଣେ ଗିରଫ

ରାଉରକେଲାର, (କେପିଏନ୍‌ଏସ୍‌) : ସିନେମା ଷ୍ଟାଇଲ୍‌ରେ ଜୁଏଲେରୀ ଦୋକାନରେ ଲୁଟ୍‌। କାନ୍ଥ ଖୋଳି ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଦୋକାନ ଭିତରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର। ହେଲେ ଏବେ ପୁଲିସ ଜାଲରେ ପଡ଼ିଛି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଜଣେ ସଦସ୍ୟ। ଘଟଣା ରାଉରକେଲାର ଝିରପାଣି ଅଞ୍ଚଳର। ଗତ ଫେବୃଆରୀ ୨୫ ତାରିଖ ରାତିରେ ମା’ ତାରିଣୀ ଜୁଏଲେରୀ ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୫୦୦ ଗ୍ରାମ ସୁନା ଓ ୧୫ କିଲୋଗ୍ରାମ ରୁପା ଅଳଙ୍କାର ଚୋରି କରିଥିଲେ। ଦୋକାନର କାନ୍ଥ ଖୋଳି ଗ୍ୟାସ୍‌ କଟର୍‌ରେ ଭିତରକୁ ପଶିଥିଲେ ଲୁଟେରା। ଏନେଇ ଦୋକାନ ମାଲିକଙ୍କ ଅଭିଯୋଗ ପରେ ଝିରପାଣି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ ଓ ବୈଷୟିକ ତଥ୍ୟକୁ ଆଧାର କରି ପୁଲିସ ଏହି ଘଟଣାରେ ୭ ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲାର ମହମ୍ମଦ ଅଜହର ଅଲିଙ୍କୁ ରାଧାନଗର ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କଠାରୁ ସୁନା କାନଫୁଲ, ମୁଦି, ଲକେଟ୍‌ ସହ ରୁପା ପାଉଁଜି, ମୁଦି, ଚେନ୍‌ ଓ ବ୍ରେସ୍‌ଲେଟ୍‌ ଜବତ ହୋଇଛି। ଏଥିସହ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ପୁଲିସ। ଘଟଣାସ୍ଥଳରୁ ଅକ୍ସିଜେନ୍‌ ସିଲିଣ୍ଡର, ଗ୍ୟାସ୍‌ କଟିଂ ପାଇପ୍‌, ଲୁହା ରଡ୍‌, ପ୍ଲାୟର୍ସ ଓ ରେଞ୍ଚ୍‌ ଭଳି ଚୋରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ମିଳିଛି। ତଦନ୍ତରୁ ଏହି ଗ୍ୟାଙ୍ଗର ଅନ୍ୟ ରାଜ୍ୟରେ ମଧ୍ୟ ଅନେକ ଜୁଏଲେରୀ ଦୋକାନ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ବିହାରରେ ମଧ୍ୟ ଏହି ଗ୍ୟାଙ୍ଗ ବିରୋଧରେ ମାମଲା ରହିଛି। ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ସାଇଦୁଲ୍‌ ଶେଖ୍‌ ଓ ରବି ମଣ୍ଡଳ ଓରଫ ଉଜ୍ଜ୍ୱଳ ମଣ୍ଡଳଙ୍କୁ ମୁମ୍ବାଇ ଓ ବିହାର ପୁଲିସ ସମାନ ଧରଣର ଚୋରି ମାମଲାରେ ଗିରଫ କରିସାରିଛି। ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ସହ ଗ୍ୟାଙ୍ଗର ଅବଶିଷ୍ଟ ସଦସ୍ୟଙ୍କୁ ଧରିବା ପାଇଁ ରାଉରକେଲା ପୁଲିସର ତଦନ୍ତ ଜାରି ରହିଛି। ଏକାଧିକ ରାଜ୍ୟରେ ଜୁଏଲେରୀ ଦୋକାନକୁ ଟାର୍ଗେଟ୍‌ କରୁଥିବା ଏହି ଗ୍ୟାଙ୍ଗର ଅପରାଧିକ ନେଟୱର୍କ ଖୋଲିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.