jayashree

ପ୍ରଥମ ସୁଶିଲ ଦାସ ଫାଉଣ୍ଡେସନର ସାଇକ୍ଲୋଥନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁଶିଲ ଦାସ ଫାଉଣ୍ଡେସନର ପ୍ରଥମ ସାଇକ୍ଲୋଥନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ସହରର ବିଶିଷ୍ଟ ସାଇକେଲ ଚାଳକ ସୁଶିଲ ଦାସଙ୍କ ସ୍ମୃତିରେ ଗଠନ କରାଯାଇଥିବା ସୁଶିଲ ଦାସ ସ୍ପୋର୍ଟସ ଅର୍ଗାନାଇଜେସନ୍ ତରଫରୁ ସେକ୍ଟର ୨ ଦୁର୍ଗା ପୂଜା ପଡ଼ିଆ ନିକଟରୁ ଆରମ୍ଭ କରାଯାଇଥିଲା । ଏହି ସାଇକ୍ଲୋଥନ ସେକ୍ଟର ୨ରୁ ଆରମ୍ଭ ହୋଇ ଆମ୍ବାଗାନ ଛକ ନିକଟରୁ ପୁଣି ରିଙ୍ଗ୍ ରୋଡ ଦେଇ ସେକ୍ଟର ୨ ଦୁର୍ଗା ପୂଜା ପଡ଼ିଆ ନିକଟରେ ଶେଷ ହୋଇଥିଲା । ଏଥିରେ ଅତିଥି ଭାବେ ବରିଷ୍ଠ ସାଇକେଲ ଚାଳକ ସମରେନ୍ଦ୍ର ଦାସ ସିଂ ଓ ସେକ୍ଟର ୩ ଥାନା ପ୍ରଭାରୀ କ୍ଷୀତିସ ଚନ୍ଦ୍ର ପାତ୍ର ନଡ଼ିଆ ଭାଙ୍ଗି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସାଇକ୍ଲିଷ୍ଟ ଆସୋସିଏସନର ରାଜ୍ୟ ଉପସଭାପତି ନରସିଂହ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବରିଷ୍ଠ ସାଇକ୍ଲିଷ୍ଟ ତଥା ଉପଦେଷ୍ଟା ସୁବାସ ଦାସ, ଇଂ ବିମଳ ବିଶି, ପିଟର ତିର୍କି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଉଣ୍ଡ ଟେବୁଲ୍ ୩୦୭ର ସଭାପତି ସିନ୍ ଆନନ୍ଦ, ଶ୍ୟାମଲ ଅଗ୍ରୱାଲ, ଦେବେନ୍ଦ୍ର ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ସାଇକ୍ଲୋଥନର ରେସିଂ ସାଇକେଲରେ ପୁରୁଷ ବିଭାଗରେ ସାଗର ଶାନ୍ତା, ସୌରଭ ମହାଲି, ଅଙ୍କିତ ବେଦିଆ, ମହିଳା ବିଭାଗରେ ବର୍ଷା ବାନାର୍ଜୀ, ରିୟା କୁମାରୀ, ଶିବାନୀ ସାହା ପ୍ରମୁଖ କ୍ରମାନ୍ୱୟରେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଇଣ୍ଡିଆନ ସାଇକେଲରେ ବାଳକ ବିଭାଗରେ ଆରାହନ ତାନସେ, ଦିବ୍ୟାସିଂ ଥାପା, ମହାବୀର ବଡାଇକ୍, ବାଳିକା ବିଭାଗରେ ଅସୀମା ମିଞ୍ଜ, ସୋନାଲୀ ସାହୁ, ଅଙ୍କିତା ଖାଲକୋ ପ୍ରମୁଖ ଓ ବରିଷ୍ଠ ବିଭାଗରେ ଅଲେଖ ଚନ୍ଦ୍ର ସେନାପତି, ଏ ପି ମହାନ୍ତି, ଗିରି ପ୍ରଧାନ ପ୍ରମୁଖ କ୍ରମାନ୍ୱୟରେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଏହି ଖେଳ ପ୍ରତି ସମର୍ପିତ ଗୋପିନାଥ ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହି ସାଇକ୍ଲୋଥନରେ ଅଂଶଗ୍ରହଣ କରିଥିବା ୧୬୨ ଜଣ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟି-ସାର୍ଟ ପ୍ରଦାନ କରାଯାଇଥିଲା । ସେହିପରି ପ୍ରଥମ ୨୦ ଜଣ ପ୍ରତିଯୋଗୀଙ୍କୁ ଏକ ହଜାର ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଭାପତି ଆଶିଷ ମୈତ୍ର, ସମ୍ପାଦକ ସବ୍ୟସାଚୀ ଦାସ, ସହ ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ ଓ ସୌମ୍ୟରଞ୍ଜନ ପଲେଇ, କୋଷାଧ୍ୟକ୍ଷ ଅଞ୍ଜୁଶ୍ରୀ ଦାସ, କର୍ମକର୍ତ୍ତା ସୂର୍ଯ୍ୟ ପାଢ଼ୀ, ପ୍ରଦୀପ କୁମାର ଦାଶ, ପ୍ରମୋଦ ବେହେରା, ଗୀତା ବାନାର୍ଜୀ, ଆକାଶ ନାୟକ, ରଶ୍ମିତା କର, ପ୍ରଫୁଲ୍ଲ ବେହେରା, ଅଜୟ ସିଂ, ଆର୍‌ କେ ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସହରରେ କୋଣଠେସା ହୋଇ ରହିଥିବା ପ୍ରତିଭାଶାଳୀ ସାଇକେଲ ଚାଳକଙ୍କୁ ଲୋକଲୋଚନରେ ଆଣିବା ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ଶେଷରେ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.