
ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି । ଶନିବାର ଅପରାହ୍ନରେ ହଠାତ୍ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଚିକିତ୍ସା ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ମଧ୍ୟ ଶ୍ରୀ ପ୍ରଧାନ ଅସୁସ୍ଥ ହୋଇପଡ଼ିଥିଲେ । ସେତେବେଳେ ତାଙ୍କୁ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ସେଠାରେ ସୁସ୍ଥ ହେବା ପରେ ସେ ବାଲିଗୁଡ଼ା ଫେରିଥିଲେ । ମାତ୍ର ପୁଣିଥରେ ଅସୁସ୍ଥତା ଅନୁଭବ କରିବା ସହ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସାଳୟ ଅଧିକାରୀ ଡା. ଶ୍ରବଣ କୁମାର ସାହୁକାର ଓ ଅନ୍ୟ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ଶ୍ରୀ ପ୍ରଧାନଙ୍କ କିଡ୍ନୀ ଓ ହୃଦ୍ଯନ୍ତ୍ରଜନିତ କିଛି ସମସ୍ୟା ଥିବାରୁ ଅଧିକ ଓ ଉନ୍ନତ ମାନର ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡା. ସାହୁକାର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ, ଶ୍ରୀ ପ୍ରଧାନ ଅସୁସ୍ଥ ଥିବା ଖବର ପାଇ ବାଲିଗୁଡ଼ା ସହରର ଜଣାଶୁଣା ସମାଜସେବୀ ଟୁନା ଦାସ ଚିକିତ୍ସାଳୟରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ । ଏଥିସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଓ ସାହସ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷଙ୍କ ପୁନର୍ବାର ଅସୁସ୍ଥତା ଖବର ପ୍ରଚାର ହେବା ପରେ ସହରର ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ସହରବାସୀ ଓ ଶୁଭେଚ୍ଛୁ ମାନେ କାମନା କରିଛନ୍ତି ।