jayashree

ସହରର ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ନାଗରିକ କମିଟିର ଉଦ୍‌ବେଗ

  • ଟାଉନ୍‌ ବସ୍‌ ଚଳାଚଳ, ବାଇପାସ୍‌ ଜବରଦଖଲ ଉଚ୍ଛେଦ ଓ ଅଳିଆ ପରିଚାଳନା ଉପରେ ଗୁରୁତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଓ ନାଗରିକଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ ଆଦର୍ଶପଡ଼ାସ୍ଥିତ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । କମିଟି ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସହରର ଅନେକ ଜନସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ମଧୁସୂଦନ ନାୟକ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବଲାଙ୍ଗିର ସହରରେ ଟାଉନ୍‌ ବସ୍‌ ଚଳାଚଳ ଆରମ୍ଭ କରିବା ସହ ବାଇପାସ୍‌ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ପୂର୍ବରୁ ସମ୍ପୃକ୍ତ ବିଭାଗକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନଥିବାରୁ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସର ସୁଇମିଂ ପୁଲ୍‌ ପଛପଟେ ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ସେଠାରେ ଅଳିଆ ଆବର୍ଜନା ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି କରୁଥିବା ସହ ଆଖପାଖ ଅଞ୍ଚଳର ପରିବେଶ ପ୍ରଭାବିତ ହେଉଥିବା ନେଇ ସଦସ୍ୟମାନେ ଆଲୋଚନା କରିଥିଲେ । ଏହାର ସ୍ଥାୟୀ ସମାଧାନ ଓ ସୁବ୍ୟବସ୍ଥିତ ବର୍ଜ୍ୟ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଲୋୟର ସୁକତେଲ ପ୍ରକଳ୍ପର ଜଳସେଚନ ବ୍ୟବସ୍ଥାକୁ ନେଇ ମଧ୍ୟ ମତବିନିମୟ ହୋଇଥିଲା । ପାଇପ୍‌ଲାଇନ୍‌ ପରିବର୍ତ୍ତେ କେନାଲ ମାଧ୍ୟମରେ ଜଳସେଚନ କରାଗଲେ ଚାଷୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ସଦସ୍ୟମାନେ ମତ ଦେଇଥିଲେ । ଏ ସମ୍ପର୍କରେ ମୁଖ୍ୟଯନ୍ତ୍ରୀଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଟାଉନ୍‌ ହଲ୍‌ର ମରାମତି କାର୍ଯ୍ୟ ଶେଷ ହୋଇପାରୁନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଅସୁବିଧା ହେଉଥିବା ପ୍ରସଙ୍ଗ ଉଠିଥିଲା । ଏଥିସହ ସହରର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନ୍‌ ଯୋଗୁଁ ଦୁର୍ଘଟଣାର ଆଶଙ୍କା ରହୁଥିବାରୁ ସମସ୍ତ ଖୋଲା ଡ୍ରେନ୍‌ରେ ତୁରନ୍ତ ଘୋଡ଼ଣୀ ଲଗାଇବାକୁ ଦାବି ହୋଇଥିଲା । ବୈଠକରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ତ୍ରିନାଥ ସାହୁ, ଡା. ପ୍ରମୋଦ କୁମାର ମିଶ୍ର, ସୁମିତ ରଞ୍ଜନ ପୁରୋହିତ, କପିତାମ୍ବର ବନଛୋର, ସତ୍ୟବାଦୀ ନାଏକ ଓ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସହସମ୍ପାଦକ ସୁନିଲଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.