jayashree

ଋଷି ସାହା ସାଂସ୍କୃତିକ ଭବନ ପରିସରରେ ଅନୁଷ୍ଠାନର ୩୮ତମ ‘ପୁଷପୁନି ଭେଟଘାଟ’

କେସିଙ୍ଗା, (ପ୍ରୀତେଶ ପଟେଲ) : ଜଗନ୍ନାଥ ମନ୍ଦିର ପରିସରରେ ଥିବା ଋଷି ସାହା ସାଂସ୍କୃତିକ ଭବନଠାରେ ଶନିବାର ସନ୍ଧ୍ୟାରେ ଚେତାବନୀ ସାହିତ୍ୟ ସଂସଦ, କେସିଙ୍ଗା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଅନୁଷ୍ଠାନର ସଭାନେତ୍ରୀ ଯାଜ୍ଞସେନୀ ସାହା, ସମ୍ପାଦକ ରଞ୍ଜନ ପଣ୍ଡା ଓ ଉପସଭାନେତ୍ରୀ ମଞ୍ଜୁ ମେଧା ଗୁରୁ ମଞ୍ଚାସୀନ ହୋଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଆସନ୍ତା ନଭେମ୍ବର ୨୯ ତାରିଖ ରବିବାର ଅପରାହ୍ଣରେ ଋଷି ସାହା ସାଂସ୍କୃତିକ ଭବନ ପରିସରରେ ଅନୁଷ୍ଠାନର ୩୮ତମ ‘ପୁଷପୁନି ଭେଟଘାଟ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶ’ ମହାସମାରୋହରେ ଆୟୋଜିତ ହେବ ବୋଲି ସଭାନେତ୍ରୀ ସୂଚନା ଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ସାହିତ୍ୟ, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବ । ଖବରଦାତା ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସାହିତ୍ୟ ଜଗତରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ପ୍ରଖ୍ୟାତ କଥାକାର ତଥା ସମାଲୋଚକ ପ୍ରଫେସର କୈଳାସ ପଟ୍ଟନାୟକଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘ଦୁର୍ଗାବତୀ କଳାହାଣ୍ଡି ଶାରଦା ସମ୍ମାନ’ ପ୍ରଦାନ କରାଯିବ । ବିଶିଷ୍ଟ ସମାଜସେବୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସନ୍ଦୀପ ବିଶ୍ୱାଳ ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟା, ବିଶିଷ୍ଟ କଥାଶିଳ୍ପୀ ଓ କବି ନର୍ମଦା ନିୟୋଗୀଙ୍କ ମାଆଙ୍କ ସ୍ମୃତିରେ ପ୍ରଦତ୍ତ ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ । ସେହିପରି ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ପଦ୍ମପୁରର ପ୍ରାଧ୍ୟାପକ ସନ୍ତୋଷ ଦେବତାଙ୍କୁ ‘ଚେତାବନୀ ପ୍ରବନ୍ଧ ସମ୍ମାନ’, କାବ୍ୟ ଓ କବିତା କ୍ଷେତ୍ରରେ ଯାଜପୁରର ବିଶିଷ୍ଟ କବି ପ୍ରାଧ୍ୟାପକ ତୁହିନାଂଶୁ ରଥଙ୍କୁ ‘ଚେତାବନୀ କବିତା ସମ୍ମାନ’ ଏବଂ କଥା ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ କଟକର ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ‘ଚେତାବନୀ କଥା ସମ୍ମାନ’ରେ ସମ୍ମାନିତ କରାଯିବ । ଅନ୍ୟପକ୍ଷରେ, କବିତା ରଚନା ପାଇଁ ସମ୍ବଲପୁରର ସ୍ୱୟଂପ୍ରଭା ରଥଙ୍କୁ ‘ଜ୍ୟୋତି ମିଶ୍ର ସ୍ମୃତି ଯୁବ ପ୍ରତିଭା ସମ୍ମାନ’, ଶିଶୁ ସାହିତ୍ୟ କ୍ଷେତ୍ରରେ ରେଢ଼ାଖୋଲର କବି କନ୍ଦର୍ପ ବେହେରାଙ୍କୁ ‘ପାର୍ଥ ବିଶି ସ୍ମୃତି କିଶୋର ସାହିତ୍ୟ ସମ୍ମାନ’ ଏବଂ ଜୁନାଗଡ଼ର ଯୁବ କବି ପଲ୍ଲବୀ ଦାସଙ୍କୁ ‘ଯୁବ କବି କାଶୀକାନ୍ତ ସାହା ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ । ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କେସିଙ୍ଗାର ବିଶିଷ୍ଟ ଶିକ୍ଷାବିତ୍, ସଂଗଠକ ତଥା ପ୍ରାଧ୍ୟାପକ ବି. ଚନ୍ଦ୍ରଶେଖର ଆଚାରୀ ଏବଂ ଟିଟିଲାଗଡ଼ର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଭିକାରୀ ଚରଣ ମିଶ୍ରଙ୍କୁ ‘ଚେତାବନୀ ଶିକ୍ଷା ସମ୍ମାନ’ ପ୍ରଦାନ କରାଯିବ । ସେହିପରି ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଭବାନୀପାଟଣାର ଭାରତ କୃଷ୍ଣ ଠାକୁରଙ୍କୁ ‘ରମେଶ ଜେନା ସ୍ମୃତି ସମାଜସେବା ସମ୍ମାନ’ରେ ସମ୍ମାନିତ କରାଯିବ । ଏଥିସହ ଜୀବନବ୍ୟାପୀ ଚେତାବନୀ ସାହିତ୍ୟ ସଂସଦକୁ ସେବା ପ୍ରଦାନ ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ କବି ନିରୋଦ ପଟ୍ଟନାୟକଙ୍କୁ ‘ଚେତାବନୀ ସୁହୃଦ ସମ୍ମାନ’ ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ନଗରର ସାମ୍ବାଦିକ ଭାଇମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.