
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ୧୩ ବର୍ଷ ପରେ ମିଳିଲା ନ୍ୟାୟ । ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଏଭଳି ଏକ ରାୟ ଆସିଛି ଗଞ୍ଜାମ ଜିଲ୍ଲାରୁ । ୨୦୧୩ ମସିହାରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଣନଈ ଗାଁରେ ଘଟିଥିବା ଦୁର୍ଯ୍ୟୋଧନ ନାହାକ ହତ୍ୟାକାଣ୍ଡ ମାମଲାରେ ଏହି ରାୟ ଶୁଣାଇଛନ୍ତି କୋଦଳା ଅତିରିକ୍ତ ଦୌରା ଜଜ୍ଙ୍କ ଅଦାଲତ । ଅଭିଯୁକ୍ତ ସନ୍ତୋଷ ନାହାକ ଓ ବ୍ରିଟିଶ ନାହାକଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡ ସହ ଜରିମାନା ଆଦେଶ ଦିଆଯାଇଛି । ସୂଚନା ଅନୁସାରେ, ୨୦୧୩ ଅକ୍ଟୋବର ୧୩ ତାରିଖ ରାତିରେ ଅଭିଯୁକ୍ତମାନେ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଅସ୍ତ୍ରଶସ୍ତ୍ର ଧରି ଦୁର୍ଯ୍ୟୋଧନଙ୍କ ଘରେ ପଶିଥିଲେ । ପରେ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ ଚାର୍ଜସିଟ୍ ଦାଖଲ ପରେ ଉଭୟ ଫେରାର ହୋଇଯାଇଥିଲେ । ଦୀର୍ଘ ଦିନ ପରେ ୨୦୨୫ ନଭେମ୍ବର ୩୦ ଓ ୨୦୨୬ ଫେବୃଆରୀ ୨୦ ତାରିଖରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । କୋର୍ଟ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଧାରା ୩୦୨ ଅନୁଯାୟୀ ଆଜୀବନ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା, ଧାରା ୪୫୦ରେ ୫ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଏବଂ ଧାରା ୨୦୧ରେ ୨ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି । ଏହାସହ ଅନ୍ୟ ଧାରାରେ ମଧ୍ୟ ଦଣ୍ଡାଦେଶ ହୋଇଛି । ତେବେ ସମସ୍ତ ଦଣ୍ଡ ଏକକାଳୀନ ଚାଲିବ । ମୃତକଙ୍କ ଉତ୍ତରାଧିକାରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ କୋର୍ଟ ସୁପାରିଶ କରିଛନ୍ତି । ଏହି ମାମଲାର ତଦନ୍ତ ତତ୍କାଳୀନ ଥାନାଧିକାରୀ ସ୍ୱର୍ଗତ ଏସ୍.ଏଲ୍.କେ. ପ୍ରସାଦ ଆରମ୍ଭ କରିଥିବା ବେଳେ ଦିଲ୍ ରଞ୍ଜନ ପଟ୍ଟନାୟକ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିଥିଲେ । ସରକାରୀ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ବ୍ରଜବନ୍ଧୁ ଦଳବେହେରା ଓ କେ.ପି. ମହାପାତ୍ର ମାମଲା ପରିଚାଳନା କରିଥିଲେ । ଗମ୍ଭୀର ଅପରାଧରେ ଦୋଷୀଙ୍କୁ ଦଣ୍ଡିତ କରିବା ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ଦେବା ଦିଗରେ ଗଞ୍ଜାମ ପୋଲିସର ଏହା ଏକ ପ୍ରମୁଖ ସଫଳତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।