jayashree

ନିର୍ମାଲ୍ୟ କ୍ଷେତ୍ରରେ ବିଷ୍ଣୁ ସହସ୍ରନାମ ଅର୍ଚ୍ଚନ

  • ୧୧୨ ଜଣ ଶ୍ରଦ୍ଧାଳୁଙ୍କ ସାମୂହିକ ଅର୍ଚ୍ଚନାରେ ଭକ୍ତିମୟ ହେଲା ପରିବେଶ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପବିତ୍ର କାର୍ତ୍ତିକ ମାସ ଅବସରରେ କଳାହାଣ୍ଡି ଜିଲ୍ଲା କଲମପୁରସ୍ଥିତ ନିର୍ମାଲ୍ୟ କ୍ଷେତ୍ରରେ ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ସହ ବିଷ୍ଣୁ ସହସ୍ରନାମ ଅର୍ଚ୍ଚନ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଭଗବଦ ଚେତନା ପରିଷଦ, କଲମପୁର ଆନୁକୂଲ୍ୟରେ ଏଠାରେ ମାସବ୍ୟାପୀ ଗୀତା ଜ୍ଞାନ ଯଜ୍ଞ ଓ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ଆୟୋଜିତ ବିଷ୍ଣୁ ସହସ୍ରନାମ ଅର୍ଚ୍ଚନରେ କଟକ ଜଗତପୁରସ୍ଥିତ ଚିନ୍ମୟ ମିଶନରୁ ଆସିଥିବା ପୂଜ୍ୟ ସ୍ୱାମୀ ଓଁକାରାନନ୍ଦ ସରସ୍ୱତୀଙ୍କ ଉପସ୍ଥିତି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ସୃଷ୍ଟି କରିଥିଲା । ଏହି ପବିତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ୧୧୨ ଜଣ ଶ୍ରଦ୍ଧାଳୁ ଯୋଗଦେଇ ସାମୂହିକ ଭାବେ ଭଗବାନ ଶ୍ରୀବିଷ୍ଣୁଙ୍କ ସହସ୍ରନାମ ଅର୍ଚ୍ଚନ ଓ ସ୍ମରଣ କରିଥିଲେ । ଖୋଳ, କରତାଳ, ହରିବୋଲ ଓ ହୁଳହୁଳିର ଧ୍ୱନିରେ ସମଗ୍ର ନିର୍ମାଲ୍ୟ କ୍ଷେତ୍ର ଭକ୍ତିମୟ ହୋଇଉଠିଥିଲା । ଶ୍ରଦ୍ଧାଳୁମାନେ ଭକ୍ତି ଓ ନିଷ୍ଠାର ସହ ଅର୍ଚ୍ଚନରେ ସାମିଲ ହୋଇ ଆଧ୍ୟାତ୍ମିକ ଶାନ୍ତି ଓ ଆନନ୍ଦ ଅନୁଭବ କରିଥିଲେ । ଭଗବଦ ଚେତନା ପରିଷଦର ସଭାପତି ରାମ ପ୍ରସାଦ ପଣ୍ଡା, ସମ୍ପାଦକ ମହେନ୍ଦ୍ର ନାଥ ସାହୁ ଓ ବ୍ୟୋମକେଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆୟୋଜନ ସମ୍ପନ୍ନ ହୋଇଥିଲା । ପରିଷଦର ଅନ୍ୟାନ୍ୟ ସଦସ୍ୟ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ତ୍ତିକ ମାସରେ ଗୀତା ଜ୍ଞାନ, ହରିନାମ ସ୍ମରଣ ଓ ସାମୂହିକ ଅର୍ଚ୍ଚନ ମାଧ୍ୟମରେ ଧାର୍ମିକ ଚେତନାର ପ୍ରସାର ସହ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ଭଗବଦ ଚେତନା ପରିଷଦର ଏହା ଏକ ସୁନ୍ଦର ପ୍ରୟାସ ।

Leave A Reply

Your email address will not be published.