
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ସେକ୍ଟର-୪,ରେ ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ସମାରୋହ ମହାବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମଞ୍ଚ ସଂଯୋଜନା କରିଥିଲେ ପ୍ରଫେସର ରଶ୍ମି ପ୍ରଭା ମଥାନ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ମଞ୍ଚାସୀନ ହୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଓ ମହିଳା ସଶକ୍ତିକରଣରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ପ୍ରଫେସର ଦୀପାଲି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମାରୋହର ମୁଖ୍ୟ ଅତିଥି ଭାବେ ରାଉରକେଲାର ଡିଏସ୍ପି ଗୁରୁବାରୀ ହେମ୍ବ୍ରମ ଯୋଗଦେଇ ମହିଳା ଓ ଛାତ୍ରୀମାନଙ୍କ ଜୀବନରେ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଆତ୍ମବିଶ୍ୱାସ, ସାହସ ଓ ସଚେତନତା ହିଁ ନାରୀ ସଶକ୍ତୀକରଣର ମୁଖ୍ୟ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ । ଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ସହିତ ପ୍ରତ୍ୟେକ ପରିସ୍ଥିତିର ସାହସର ସହ ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ ଆତ୍ମରକ୍ଷା ପ୍ରଶିକ୍ଷଣର ଇନଚାର୍ଜ ପ୍ର ବୈଜୟନ୍ତୀ ବାରିକ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଟ୍ରେନର ଜୟା କୁମାରୀ ସିଂ, ନିକି କୁମାରୀ କୁସୁୱା ଓ ରିତିକା ମାହାତୋ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଭାରତୀ ବରୱା, ମାହାର,କ୍ଷୀରୋଦ୍ରି ମହାକୁଡ଼, ରଚନା ମିଶ୍ର, ବେବି ସାହୁ, ଅମିଷା ଓରାମ, ନମିତା ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ । ଏଥିସହ ଅଜୟ ଯାଦବ, ବିନିତା, ଗାୟତ୍ରୀ, ସୁନତି ଓ ମିନୁ ତଥା ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା । ଶେଷରେ ଆତ୍ମରକ୍ଷା ପ୍ରଶିକ୍ଷଣର ସଂଯୋଜିକା ପ୍ରଫେସର ବନ୍ଦନା ସୋରେଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦ୍ଯାପନୀ ସମାରୋହ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସାହସ ଓ ଆତ୍ମନିର୍ଭରଶୀଳତାର ଭାବନାକୁ ଅଧିକ ସୁଦୃଢ଼ କରିବା ସହ ନାରୀ ସଶକ୍ତୀକରଣ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।