
- ସାହିତ୍ୟ, କଳା, ସାମ୍ବାଦିକତା ଓ ଭାଷା ଆନ୍ଦୋଳନରେ ଛାଡ଼ିଗଲେ ଅମ୍ଳାନ ସ୍ୱାକ୍ଷର; ଜନ୍ମମାଟି ବୁରୋମୁଣ୍ଡାରେ ଶେଷକୃତ୍ୟ ସମ୍ପନ୍ନ
ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରି ପରଲୋକ ଗମନ କରିଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ, ବିଶିଷ୍ଟ ସାହିତ୍ୟିକ, ଗବେଷକ ଓ କୋଶଳୀ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଡ. ସାକେତ ଶ୍ରୀଭୂଷଣ ସାହୁ । ମାତ୍ର ୪୮ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ କେବଳ କୋଶଳୀ ଭାଷା ଓ ସାହିତ୍ୟ ଜଗତ ପାଇଁ ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି । ୧୯୭୮ ମସିହା ଅଗଷ୍ଟ ୨୬ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ଏକ ଗୌନ୍ତିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଡ. ସାହୁ । ଜବାହର ନବୋଦୟ ବିଦ୍ୟାଳୟରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ପିଲାଟି ଦିନରୁ ପଶ୍ଚିମ ଓଡ଼ିଶାର ମାଟି, ଭାଷା, ପରମ୍ପରା ଓ ସଂସ୍କୃତି ପ୍ରତି ତାଙ୍କର ଥିଲା ଅସୀମ ଅନୁରାଗ । ଏହି ଅନୁରାଗ ହିଁ ତାଙ୍କୁ ଜୀବନର ଶେଷ ପର୍ଯ୍ୟନ୍ତ କୋଶଳୀ ଭାଷାର ବିକାଶ, ପ୍ରଚାର, ପ୍ରସାର ଓ ସଂରକ୍ଷଣ ଦିଗରେ ନିରନ୍ତର ସାଧନା କରିବାକୁ ପ୍ରେରଣା ଯୋଗାଇଥିଲା । କୋଶଳୀ ଭାଷାର ସାହିତ୍ୟିକ ଇତିହାସକୁ ଲିପିବଦ୍ଧ କରିବା ଦିଗରେ ତାଙ୍କର ଅବଦାନ ଥିଲା ଅବିସ୍ମରଣୀୟ । ୨୦୧୭ ମସିହାରେ ପ୍ରକାଶିତ ତାଙ୍କର ଗବେଷଣାମୂଳକ ପୁସ୍ତକ ‘କୋଶଳୀ ସାହିତ୍ୟର ଇତିହାସ’ ଏହି ଭାଷାର ସମୃଦ୍ଧ ସାହିତ୍ୟିକ ପରମ୍ପରା ଓ କ୍ରମବିକାଶକୁ ଆଲୋକପାତ କରିଥିଲା । ସେହିପରି ‘ପଦମା କହାଣ୍ଡୋର ସପନ’ ଭଳି ସାହିତ୍ୟକୃତି ମାଧ୍ୟମରେ ସେ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଜୀବନ, ଲୋକସଂସ୍କୃତି, ମାଟି ଓ ମଣିଷର ଭାବନାକୁ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ । ଶିଶୁ ଓ ନୂତନ ପିଢ଼ିଙ୍କ ମଧ୍ୟରେ କୋଶଳୀ ଭାଷା ପ୍ରତି ଆଗ୍ରହ ଓ ଆତ୍ମୀୟତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଆସରେ ପିଲେ କଥାନୀ କହେମା’ ଓ ‘ଆସ କୋଶଲୀ ଶିଖମା’ ଭଳି ପୁସ୍ତକ ରଚନା କରିଥିଲେ । ସାହିତ୍ୟ ଓ ଭାଷା ଆନ୍ଦୋଳନକୁ ସଂଗଠିତ ରୂପ ଦେବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ । ସେ ‘ବେଣୀ’ ପତ୍ରିକାର ପ୍ରତିଷ୍ଠାତା ହେବା ସହ CLEAR ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଭାବେ ଆଞ୍ଚଳିକ ସାହିତ୍ୟ ଆନ୍ଦୋଳନକୁ ନୂତନ ଦିଗ ଦେଇଥିଲେ । ଅନୁବାଦ ଓ ସମ୍ପାଦନା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ଓ ଅବଦାନ ପ୍ରଶଂସନୀୟ ଥିଲା । ଭାଷା ସମସ୍ୟା ସମ୍ପର୍କିତ ଡ. ଯୋଗା ସିଂହଙ୍କ ଆନ୍ତର୍ଜାତୀୟ ମତାମତକୁ ଅନୁବାଦ କରି ସେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପଟିଆଲା ପକ୍ଷରୁ ସମ୍ମାନିତ ହୋଇଥିଲେ । ଏଥିସହ ଡ. ସାହେବ ସାହୁଙ୍କ ରଚିତ ‘Death of My Brother and Other Essays’ ପୁସ୍ତକର ସମ୍ପାଦନା କରିଥିଲେ । ଆଞ୍ଚଳିକ ସାହିତ୍ୟ ଓ ଭାଷା ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ GHPU ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍ ଲିଟରେଚର (D.Litt.) ଉପାଧି ପ୍ରଦାନ କରାଯାଇଥିଲା । ଡ. ସାହୁଙ୍କ ପ୍ରତିଭା କେବଳ ସାହିତ୍ୟ ସାଧନା ମଧ୍ୟରେ ସୀମିତ ନଥିଲା । ଚିତ୍ରକଳା, ନାଟକ ଓ ଚଳଚ୍ଚିତ୍ର ଜଗତରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜଣେ ଦକ୍ଷ ଚିତ୍ରଶିଳ୍ପୀ ଭାବେ ତୂଳୀରେ ନିଜର ସୃଜନଶୀଳତା ପ୍ରକାଶ କରିବା ସହ ମଞ୍ଚ ନାଟକ କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ । ତାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଆରୁ ଦୁର୍ଯ୍ୟୋଧନ’ ବିଶେଷ ପ୍ରଶଂସା ଲାଭ କରିଥିଲା । ସେହିପରି କୋଶଳୀ ଚଳଚ୍ଚିତ୍ର ‘ରସିଆ’ର କାହାଣୀ ରଚନା ଓ ନିର୍ଦ୍ଦେଶନା ଦେଇ ଆଞ୍ଚଳିକ ସିନେମା ଜଗତକୁ ମଧ୍ୟ ସମୃଦ୍ଧ କରିଥିଲେ । ଆଞ୍ଚଳିକ ଭାଷାରେ ସାମ୍ବାଦିକତାର ବିକାଶ ଓ ପ୍ରସାର ପାଇଁ ତାଙ୍କର ପ୍ରୟାସ ମଧ୍ୟ ଥିଲା ଅତୁଳନୀୟ । ବରଗଡ଼ରୁ ପ୍ରକାଶିତ ପାକ୍ଷିକ କୋଶଳୀ ଖବରକାଗଜ ‘ଲୋକାର ଖବର’ର ପ୍ରତିଷ୍ଠା, ପରିଚାଳନା ଓ ସମ୍ପାଦନା ଦାୟିତ୍ୱ ତୁଳାଇ ସେ କୋଶଳୀ ଭାଷାରେ ସାମ୍ବାଦିକତାକୁ ଏକ ନୂତନ ପରିଚୟ ଦେଇଥିଲେ । ଡିଜିଟାଲ ଯୁଗର ଆହ୍ୱାନକୁ ଗ୍ରହଣ କରି ‘ଲୋକାର ଖବର’ ନାମରେ ୟୁଟ୍ୟୁବ୍ ମିଡିଆ ଚ୍ୟାନେଲ ଆରମ୍ଭ କରିଥିଲେ । ଏହା ମାଧ୍ୟମରେ କୋଶଳୀ ଭାଷାରେ ସମ୍ବାଦ ପରିବେଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ସେ ଗୁରୁତ୍ୱର ସହ ଉପସ୍ଥାପନ କରୁଥିଲେ । କୋଶଳୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ କରିବା ଥିଲା ତାଙ୍କ ଜୀବନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ । ଏଥିପାଇଁ ସେ ସର୍ବଦା ନିଜର ସ୍ୱର ଉତ୍ତୋଳନ କରିବା ସହ ଆଞ୍ଚଳିକ ଅସ୍ମିତା, ଭାଷାର ଅଧିକାର, ଶିକ୍ଷାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ନିରନ୍ତର ଉଦ୍ୟମ କରୁଥିଲେ । ବରଗଡ଼ ନାମର ଶୁଦ୍ଧ ବନାନ ଓ ଜିଲ୍ଲାର ସଠିକ୍ ପରିଚୟ ପ୍ରତିଷ୍ଠା ଦିଗରେ ମଧ୍ୟ ସେ ସର୍ବଦା ନିଜର ମତାମତ ରଖିବା ସହ ଆଞ୍ଚଳିକ ସ୍ୱାଭିମାନର ସୁରକ୍ଷା ପାଇଁ ଯୁକ୍ତିସଙ୍ଗତ ଭାବେ ନିଜର ଅବସ୍ଥାନ ସ୍ପଷ୍ଟ କରୁଥିଲେ । ଏଭଳି ଜଣେ ବହୁମୁଖୀ ପ୍ରତିଭା, ଭାଷାପ୍ରେମୀ ଓ ସଂସ୍କୃତି ସାଧକଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶା ଏକ ଅମୂଲ୍ୟ ସମ୍ପଦ ହରାଇଛି । ତାଙ୍କର ପରଲୋକ କେବଳ ଜଣେ ବ୍ୟକ୍ତିଙ୍କ ବିୟୋଗ ନୁହେଁ, ବରଂ କୋଶଳୀ ଭାଷା ଓ ସାଂସ୍କୃତିକ ଆନ୍ଦୋଳନର ଏକ ସକ୍ରିୟ ସ୍ୱର ନିରବ ହୋଇଯିବା ସହ ସମାନ । କଲମ, ତୂଳୀ, ମଞ୍ଚ, କ୍ୟାମେରା ଓ ଗଣମାଧ୍ୟମକୁ ନିଜ ସାଧନାର ମାଧ୍ୟମ କରି ସେ ଯେଉଁ ସୃଜନଶୀଳ ଅବଦାନ ଛାଡ଼ିଯାଇଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ । ଆଜି ତାଙ୍କର ଜନ୍ମମାଟି ବୁରୋମୁଣ୍ଡା ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ବଡ଼ଭାଇ ସରୋଜ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗର ଖବର ପାଇ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବିଡିଓ ଲକ୍ଷ୍ମଣ ମାଝୀଙ୍କ ସମେତ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସାହିତ୍ୟିକ, ସାମ୍ବାଦିକ ଓ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କ ମରଶରୀରରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।