
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସ୍ଥିତ ସାର୍ବଜନୀନ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୪୦ତମ ଧନୁଯାତ୍ରା ମହୋତ୍ସବ ପାଳିତ ହେବ । ଆସନ୍ତା ୨୨ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ପାଳିତ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବରେ ବଙ୍ଗୋମୁଣ୍ଡା ମଥୁରା ନଗର ଏବଂ ଗୋହିରାପଦର ଗୋପପୁର ପାଲଟିବ । ୨୨ ତାରିଖ ଠାରୁ ପ୍ରତ୍ୟହ ସନ୍ଧ୍ୟା ୭ ଟାରେ କଂସ ଦରବାର ଅନୁଷ୍ଠିତ ହେବ । ପୌରାଣିକ କଥାବସ୍ତୁକୁ ନେଇ ନାଟ୍ୟାଭିନୟ ସହିତ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଧନୁଯାତ୍ରା ପଡ଼ିଆରେ ବ୍ୟବସାୟିକ ଷ୍ଟଲ, ମୀନା ବଜାର ଆଦି ଲାଗିବ । ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଧନୁଯାତ୍ରା ଉତ୍ସବ ସମ୍ପର୍କରେ ଧନୁଯାତ୍ରା କମିଟି ସଭାଗୃହ ଠାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କାର୍ଯ୍ୟକାରୀ ସଭାପତି ସୁଶୀଲ କୁମାର ଜୈନ, ଉପସଭାପତି ଡଃ. ନାରାୟଣ ମିଶ୍ର, ସମ୍ପାଦକ କହ୍ନେୟାଲାଲ ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ସନାତନ ସା, ଉପସଭାପତି ଅମିତ ଥନାପତି ପ୍ରମୁଖ ସୂଚନା ଦେଇଥିଲେ । ନନ୍ଦ ଉତ୍ସବ, କାଳୀୟ ଦଳନ, ଗୋପପୁର, ଶୋଭାଯାତ୍ରା କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଞ୍ଚଳର କଳାକାରଙ୍କ ସହ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାର ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ପ୍ରଶାସନ ପକ୍ଷରୁ ବିଭିନ୍ନ ଷ୍ଟଲ ଲାଗିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି । ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଧାର୍ମିକ ଭାବଧାରାର ଏକ ଅନନ୍ୟ ପରିଚୟ ହେଉଛି ବଙ୍ଗୋମୁଣ୍ଡାର ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୪୦ ବର୍ଷର ଗୌରବମୟ ଯାତ୍ରା ଅତିକ୍ରମ କରି ଏହି ମହୋତ୍ସବ ଆଜି ଅଞ୍ଚଳବାସୀଙ୍କ ଭାବାବେଗ, ଆସ୍ଥା ଓ ଗର୍ବର ପ୍ରତୀକ ହୋଇପାରିଛି । ଧନୁଯାତ୍ରା କେବଳ ଏକ ମନୋରଞ୍ଜନଧର୍ମୀ ଉତ୍ସବ ନୁହେଁ, ବରଂ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏକ ମହାନ ବାର୍ତ୍ତା ବହନ କରେ । ଏହି ମହୋତ୍ସବ ମାଧ୍ୟମରେ କଳାକାରମାନେ ନିଜର ଅଭିନୟ ଓ କଳାନୈପୁଣ୍ୟ ପ୍ରଦର୍ଶନ କରିବା ସହ ଆମ ଲୋକକଳା, ଲୋକସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି । ଏହା ସାମାଜିକ ଏକତା, ଭାଇଚାରା ଓ ସାଂସ୍କୃତିକ ସମନ୍ୱୟର ଏକ ସୁନ୍ଦର ଉଦାହରଣ । ଚାଳିଶତମ ବର୍ଷର ଏହି ଗୌରବମୟ ଅବସରରେ ଧନୁଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ, କଳାକାର, ସହଯୋଗୀ ଓ ଅଞ୍ଚଳବାସୀଙ୍କ ନିଷ୍ଠା, ତ୍ୟାଗ ଓ ସହଯୋଗ ନିଶ୍ଚିତ ଭାବରେ ପ୍ରଶଂସନୀୟ । ସମସ୍ତଙ୍କ ମିଳିତ ଉଦ୍ୟମରେ ଏହି ମହୋତ୍ସବ ଆଗାମୀ ଦିନରେ ଆହୁରି ଗୌରବମୟ ହେଉଛି । ଏହି ମହାନ ସାଂସ୍କୃତିକ ଉତ୍ସବରେ ସାମିଲ ହୋଇ ଆମ ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ବୋଲି କମିଟି ଅଣ୍ଟା ଭିଡିଛନ୍ତି । ପରିବର୍ତ୍ତନ ହେବ ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ମହାନାଟକରେ । ବଙ୍ଗୋମୁଣ୍ଡା ପାଲଟିଯିବ ପୌରାଣିକ ମଥୁରାନଗରୀ ଏବଂ ଗୋହିରାପଦର ଗ୍ରାମ ପାଲଟିଯିବ ଗୋପପୁର ଗଣତନ୍ତ୍ର ପରିଚାଳିତ ଜନସାଧାରଣ ନିଜସ୍ୱ ଭାବେ ପରିଗଣିତ ହେବେ ମଥୁରା ନାଗରିକ ଭାବେ । ପାଂଚ ଦିନ ଧରି ପାଲିତ ହେବ ଏହି ଯାତ୍ରା ମହୋତ୍ସବ ପୌରାଣିକ ମହାନ୍ ଖଲନାୟକ କଂସ ହେବେ ଏହି ଯାତ୍ରାର ମହାନାୟକ । ତାଙ୍କରି ଆଦେଶରେ ସମସ୍ତ ପ୍ରକାର କାର୍ଯ୍ୟ ନିର୍ବାହ କରିବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି କମିଟି ସହ କଳାକାର, କଳାପ୍ରେମୀ, ମଥୁରା ନଗରୀ (ବଙ୍ଗୋମୁଣ୍ଡା) ଧନୁଯାତ୍ରା କମିଟିର ଉତ୍ସାହ ଏବଂ ନିଃସ୍ୱାର୍ଥପର ପ୍ରଚେଷ୍ଟା ବଳରେ ରାଜ୍ୟସ୍ତରୀୟ ମହାନାଟକ ଭାବେ ପରିଣତ ହେବାକୁ ଯାଉଥିବା ଧନୁଯାତ୍ରା ନିଶ୍ଚିତ ଭାବେ ତାର ଉଚ୍ଚିତ ସ୍ଥାନ ଅଧିକାର ପୂର୍ବକ ଏକ ଇତିହାସ ସୃଷ୍ଟି କରିବ ବୋଲି କମିଟି ଓ ଗ୍ରାମବାସୀଙ୍କ ବିଶ୍ୱାସ ।